ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଚାହିଁଲେ ଖୋଲା ଯାଇପାରିବ ଭିତର ରତ୍ନଭଣ୍ଡାର : ଭଣ୍ଡାର ମେକାପ

ପୁରୀ ୧୨।୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଭଣ୍ଡାର ମେକାପ ନାରାୟଣ ମେକାପ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଭିତର ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି । ଭିତର ରତ୍ନଭଣ୍ଡାରର ୩ଟି ବିମ୍‌ରେ ଫାଟ ସହ ପାଣି ଗଳୁଛି । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଭିତରେ ରଘୁନାଥ ବେଶ ପାଇଁ ସମସ୍ତ ଦୁର୍ମୂଲ୍ୟ ଅଳଙ୍କାର ରହିଛି । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଚାହିଁଲେ ଭିତର ରତ୍ନଭଣ୍ଡାର ଖୋଲା ଯାଇପାରିବ । ଭିତର ରତ୍ନଭଣ୍ଡାର ଖୋଲିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଏଏସଆଇ ପକ୍ଷରୁ ଚିଠି ଲେଖାଯାଇଛି । ଅଗଷ୍ଟ ୮ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ଏଏସଆଇ ସୁପରିଣ୍ଟେଣ୍ଡାଣ୍ଟ । ୨୦୧୮ ମସିହା ମାର୍ଚ୍ଚ ୨୨ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅପ୍ରେଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ତେବେ ଚାବି ହଜିଥିବା ଯୋଗୁଁ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରିନଥିଲା । ପ୍ଲାଷ୍ଟର ଖରାପ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଭିତର ରତ୍ନଭଣ୍ଡାର ଖୋଲିବାକୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରିଛି । ରାଜ୍ୟ ଆଇନ ବିଭାଗ ଓ ଏଏସଆଇ ଡିଜିଙ୍କୁ ମଧ୍ୟ ଚିଠି ହୋଇଛି ।

Spread the love