ଯଦି ଅଣନିଃଶ୍ଵାସୀ ଲାଗୁଛି ଭାରତ ଛାଡି ଦିଅ, ଫାରୁକ ଅବଦୁଲ୍ଲାଙ୍କୁ ଜବାବ ଦେଲେ ଆରଏସଏସ ନେତା

ନୂଆଦିଲ୍ଲୀ ୦୬।୧୨: ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ(ଆରଏସଏସ)ର ବରିଷ୍ଠ ନେତା ଇନ୍ଦ୍ରେଶ କୁମାର ସୋମବାର ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ‘କୃଷକଙ୍କ ପରି ବଳିଦାନ’ ଟିପ୍ପଣୀ ଉପରେ ପ୍ରତିଜବାବ ଦେଇଛନ୍ତି। ଇନ୍ଦ୍ରେଶ କୁମାର କହିଛନ୍ତି, ଯଦି ଫାରୁକ ଅବଦୁଲ୍ଲାଙ୍କୁ ଭାରତରେ ଅଣନିଃଶ୍ଵାସୀ ଲାଗୁଛି ତେବେ ତାଙ୍କୁ ଏହି ଦେଶ ଛାଡି ଦେବା ଉଚିତ୍। ଦୁନିଆର ଅନ୍ୟ କୌଣସି ସ୍ଥାନ ଯଦି ତାଙ୍କୁ ପସନ୍ଦ ତେବେ ସେଠାରେ ଯାଇ ରହିବା ଉଚିତ୍। ଫାରୁକ ଅବଦୁଲ୍ଲା ରବିବାର କହିଥିଲେ,  ଜାମ୍ମୁ-କାଶ୍ମୀରରେ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଫେରି ପାଇବାକୁ ହେଲେ ରାଜ୍ୟବାସୀଙ୍କୁ କୃଷକଙ୍କ ପରି ବଳିଦାନ ଦେବାକୁ ପଡିବ।

ଆରଏସଏସ ନେତା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ମଧ୍ୟ ସମାଲୋଚନା କରି କହିଛନ୍ତି ଯେ, ମିଛ କହିବା ତାଙ୍କର ଏକ ଫ୍ୟାସନରେ ପରିଣତ ହୋଇ ଯାଇଛି। ଜାମ୍ମୁ-କାଶ୍ମୀରର ଦୁଇ ନେତାଙ୍କୁ ‘ଉସୁକାଇବା ପରି ରାଜନୀତି’ ବନ୍ଦ କରିବା ଉଚିତ୍ ଏବଂ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ବାଧକ ହେବା ଉଚିତ୍ ନୁହେଁ। କୁମାର କହିଛନ୍ତି, ଅବଦୁଲ୍ଲାଙ୍କ ବୟାନରୁ ସ୍ପଷ୍ଟ ଜଣା ପଡୁଛି ଯେ, ତାଙ୍କୁ ହିଂସା ବହୁତ ପସନ୍ଦ, ଶାନ୍ତି ନୁହେଁ।

ରବିବାର ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କହିଥିଲେ, କୃଷକଙ୍କ ପରି କାଶ୍ମୀରବାସୀଙ୍କୁ ବଳିଦାନ ଦେବାକୁ ପଡିବ।  ତେବେ ଯାଇ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରେ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା(ଅନୁଚ୍ଛେଦ ୩୭୦ ଓ ୩୫ଏ) ଲାଗୁ କରିବେ। ଅବଦୁଲ୍ଲା କହିଥିଲେ, ୧୧ ମାସର ଆନ୍ଦୋଳନ ସମୟରେ ୭୦୦ କୃଷକଙ୍କ ମୃତ୍ୟୁ ଘଟିଛି। କୃଷକଙ୍କ ବଳିଦାନରେ  ହିଁ କେନ୍ଦ୍ର ସରକାର ତିନି କୃଷି ଆନଇ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ। ଆମେ ନିଜର ଅଧିକାର ଫେରି ପାଇବା ପାଇଁ ଠିକ୍ ସେହିଭଳି ବଳିଦାନ ଦେବାକୁ ପଡିବ।

Spread the love