କରୋନା ଚେତାବନୀ ପରେ ବି ଦିଲ୍ଲୀରେ ‘ଭାରତ ଯୋଡ ଯାତ୍ରା’

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡଯାତ୍ରା ଦିଲ୍ଲୀରେ ପ୍ରବେଶ କରିଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି କଂଗ୍ରେସର ମେଗା ଶୋ’ ଚାଲିଛି । ବଦରପୁର ବର୍ଡରରୁ ହଜାର ହଜାର ଲୋକଙ୍କ ସହ ଦିଲ୍ଲୀ ରାସ୍ତାରେ ଚାଲୁଛନ୍ତି ରାହୁଲ । ଦିଲ୍ଲୀ ରାଜରାସ୍ତା ଜନସମୁଦ୍ର ପାଲଟିଯାଇଛି । କଂଗ୍ରେସ କର୍ମୀ, ସାଧାରଣ ଜନତା ଓ ସେଲିବ୍ରେଟି ଉତ୍ସାହର ସହ ରାହୁଲଙ୍କ ଯାତ୍ରାରେ ସାମିଲ ହେଉଛନ୍ତି । ୧୦୭ ଦିନରେ ପ୍ରାୟ ୩ହଜାର କିଲୋମିଟର ଯାତ୍ରା କରି ରାହୁଲ ଦିଲ୍ଲୀରେ ପହଂଚିଛନ୍ତି । ଖୋଦ ରାହୁଲ ଗାନ୍ଧୀ ବିରୋଧୀ ଦଳଙ୍କୁ ଭାରତ ଯୋଡ ଯାତ୍ରାରେ ସାମିଲ ହେବାକୁ ଚିଠି ଲେଖି ଅପିଲ କରିଥିଲେ । ଦିଲ୍ଲୀରେ ଶକ୍ତିପ୍ରଦର୍ଶନ ସହ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିପାରନ୍ତି ରାହୁଲ । ବଦରପୁର ବର୍ଡରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆପୋଲୋ ହସ୍ପିଟାଲ ଦେଇ ଆଶ୍ରମଚୌକ ପହଂଚିବ । ଆଶ୍ରମଚୌକର ଧର୍ମଶାଳାରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ପରେ ନିଜାମୁଦ୍ଦିନ, ଇଣ୍ଡିଆଗେଟ ସର୍କିଲ, ଦିଲ୍ଲୀ କେଣ୍ଟ, ଦରିଆଗଂଜ ଦେଇ ଲାଲକିଲ୍ଲାରେ ପହଞ୍ଚିବ ।

ସେଠାରେ ରାହୁଲ ଗାନ୍ଧୀ ଜନସମାବେଶକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ରାହୁଲ ଗାନ୍ଧୀ ପ୍ରେସକନଫରେନ୍ସ କରିପାରନ୍ତି । ଦୁଇ ଦିନ ତଳେ କରୋନା ସଂକ୍ରମଣକୁ ଆଖିରେ ରଖି ସ୍ୱାସ୍ଥ୍ୟମନ୍ତ୍ରାଳୟ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଭାରତଯୋଡ ଯାତ୍ରା ବନ୍ଦ କରିବାକୁ ଅପିଲ କରିଥିଲେ । ନହେଲେ ଯାତ୍ରା ସମୟରେ କୋଭିଡ ନିୟମ ପାଳିବାକୁ କହିଥିଲା ସ୍ୱାସ୍ଥ୍ୟମନ୍ତ୍ରାଳୟ । ଜବାବରେ ରାହୁଲ ଗାନ୍ଧୀ କହିଥିଲେ ଭାରତ ଯୋଡ ଯାତ୍ରା ବନ୍ଦ ହେବ ନାହିଁ, କାଶ୍ମୀର ପହଂଚିବା ପରେ ବନ୍ଦ ହେବ । ସରକାର ଭାରତ ଯାତ୍ରାକୁ ବନ୍ଦ କରିବା ପାଇଁ ବାହାନା ଖୋଜୁଛନ୍ତି । ଭାରତଯୋଡ ଯାତ୍ରାକୁ ନେଇ କେନ୍ଦ୍ର ସରକାରଙ୍କ କେଁ ଭିତରେ ଦିଲ୍ଲୀରେ ପହଂଚିଛି ରାହୁଲଙ୍କ ଭାରତ ଯୋଡଯାତ୍ରା ।

Spread the love