ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ପକ୍ଷରୁ ଆଜି ‘ଭାରତ ବନ୍ଦ’ । ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଭାରତ ବନ୍ଦକୁ ସଫଳ କରିବା ଲାଗି ଚାଷୀ ସଂଗଠନଗୁଡ଼ିକ ଡାକରା ଦେଇଛନ୍ତି । ରାଜ୍ୟରେ କଂଗ୍ରେସ, ବାମଦଳ ଏବଂ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି ।

ବିଶେଷ କରି ସବୁ ଜିଲ୍ଲାର ସଦର ମହକୁମା, ପ୍ରମୁଖ ରାସ୍ତାଘାଟରେ ବନ୍ଦ ପାଳନ ପାଇଁ ଯୋଜନା ରହିଛି। ‘ଭାରତ ବନ୍ଦ’ ସମୟରେ ହାଟ, ବଜାର ବନ୍ଦ ରହିବ। ବିଭିନ୍ନ ସ୍ଥାନରେ ସ୍ଥାନୀୟ ବ୍ୟବସାୟୀ ଏପରି ନିଷ୍ପତ୍ତି ନେଇଛନ୍ତି। ସେହିପରି ଯାତ୍ରୀ ଓ ମାଲ୍ ପରିବହନ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ବସ୍ ଚଳାଚଳ ବନ୍ଦ କରିବାକୁ ମାଲିକ ସଂଘ ନିଷ୍ପତ୍ତି ନେଇନଥିଲେ ମଧ୍ୟ ବସ୍ ଚଳାଚଳ ବନ୍ଦ ରହିଛି। ଅଧିକାଂଶ ସ୍ଥାନରେ ଅଟୋ, ଟ୍ୟାକ୍ସି ମଧ୍ୟ ଚଳାଚଳ ବନ୍ଦ ରହିଛି । ବନ୍ଦ ପାଳନ କରୁଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆମ୍ବୁଲାନ୍ସ, କ୍ଷୀର ଗାଡ଼ି, ବିବାହ କାର୍ଯ୍ୟକ୍ରମ ଆଦିରେ ବାଧା ନ ଦେବାକୁ ନିବେଦନ କରାଯାଇଛି।

ବନ୍ଦ ପାଳନ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ପୋଲିସ୍ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ବରରେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ନ’ ତାଲାରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। କର୍ମଚାରୀମାନଙ୍କୁ ୯ଟା ୩୦ ସୁଦ୍ଧା ଅଫିସ୍ ରେ ପହଞ୍ଚିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

‘ଭାରତ ବନ୍ଦ’କୁ କଂଗ୍ରେସ ସମର୍ଥନ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଚାଷୀମାନେ କୃଷି ଆଇନକୁ ବିରୋଧ କରିବା ସମ୍ପୂର୍ଣ୍ଣ ଯୁକ୍ତିସଙ୍ଗତ । କଂଗ୍ରେସ ନେତୃବୃନ୍ଦ, ଜିଲ୍ଲା କଂଗ୍ରେସ ସଭାପତି, ଛାମୁଆ ସଂଗଠନ ଓ କର୍ମକର୍ତ୍ତାମାନେ ବନ୍ଦରେ ସକ୍ରିୟ ଅଂଶଗ୍ରହଣ କରି ସଫଳ କରିବା ପାଇଁ ନିରଞ୍ଜନ ଅପିଲ୍ କରିଛନ୍ତି । ‘ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଗତ ୪ ମାସ ଧରି ଚାଷୀମାନେ ଦିଲ୍ଲୀରେ ଆନ୍ଦୋଳନ କରିଆସୁଛନ୍ତି। ଆନ୍ଦୋଳନକୁ ୧୨୦ ଦିନ ପୂରିସାରିଛି ।

Spread the love