ନୃତ୍ୟ ପରିବେଷଣ ପରେ ମଞ୍ଚରେ ଟଳିପଡିଲେ ମାଲେସୀୟ ନୃତ୍ୟଗୁରୁ

ଭୁବନେଶ୍ବର: ସ୍ଥାନୀୟ ବରଗଡ଼ ଥାନାଞ୍ଚଳରେ ଥିବା ଭଞ୍ଜ କଳା ମଣ୍ଡପରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଲେସିଆରୁ ନୃତ୍ୟ ପରିବେଷଣ କରିବାକୁ ଆସିଥିବା ଭରତ ନାଟ୍ୟମର ନୃତ୍ୟଗୁରୁ ଶ୍ରୀଗଣେଶନ ପ୍ରଥମ ପର୍ଯ୍ୟାୟ ନୃତ୍ୟ ପରେ ମଞ୍ଚରେ ଟଳି ପଡିଛନ୍ତି।

ଭଞ୍ଜକଳା ମଣ୍ଡପରେ ୩ ଦିନିଆ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ଥିଲା। ଶୁକ୍ରବାର ଥିଲା କାର୍ଯ୍ୟକ୍ରମର ଶେଷ ଦିବସ। ମାଲେସିଆରୁ ଆସିଥିଲେ ନୃତ୍ୟଗୁରୁ ଶ୍ରୀଗଣେଶନ। ପ୍ରଥମ ପର୍ଯ୍ୟାୟରେ ସେ ଭରତ ନାଟ୍ୟମ ପରିବେଷଣ କରିଥିଲେ। ହେଲେ ଦ୍ବିତୀୟ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ଜ୍ବଳନ ବେଳେ ସେ ମଞ୍ଚରେ ଟଳିପଡିଥିଲେ। ଅନ୍ୟ ନୃତ୍ୟୁଗୁରୁ ଓ ସାଥୀମାନେ ତାଙ୍କ ଛାତିକୁ ଦବାଇ ଥିଲେ ବି ସୁଫଳ ମିଳିନଥିଲା। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷିତ ଗୃହରେ ମୃତଦେହ ରହିଛି। ଶନିବାର ନୃତ୍ୟ ଗୁରୁଙ୍କର ଶବ ବ୍ୟବଚ୍ଛେଦ କରାଯିବ । ପରିବାରର ଲୋକ ଆସିବା ପରେ ମୃତଦେହ ହସ୍ତାନ୍ତର ପ୍ରକିୟା ହେବ ବୋଲି କ୍ୟାପିଟାଲ ମେଡିକାଲ ଫାଣ୍ଡି ପକ୍ଷରୁ ସୂଚନା ମିଳିଛି। ତାଙ୍କର ମୃତ୍ୟୁ ଖବର କଳାକାର ମହଲରେ ଶୋକ ଖେଳାଇ ଦେଇଛି। ତାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଡାକ୍ତର କହିଛନ୍ତି।

Spread the love