ଭିତରକନିକାରେ କମିଲେ ସ୍ତନ୍ୟପାୟୀ ପ୍ରାଣୀ; ଗତବର୍ଷ ଠାରୁ ୨୦୧ ପ୍ରାଣୀ କମ୍‌

ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବସବାସ କରୁଥିବା ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ସଂଖ୍ୟା କମିଛି। ୨୦୧୯ ମସିହାରେ ଭିତରକନିକାରେ ୮୧୦୫ ସ୍ତନ୍ୟପାୟୀ ପ୍ରାଣୀ ଥିବାବେଳେ ଏଥର ଏହି ସଂଖ୍ୟା ୭୯୦୪କୁ ଖସି ଆସିଛି। ଅର୍ଥାତ ଗତବର୍ଷଠାରୁ ଭିତରକନିକାରେ ଚଳିତବର୍ଷ ୨୦୧ ପ୍ରାଣୀ କମିଥିବା ଚଳିତବର୍ଷ ଗଣନା ରିପୋର୍ଟରୁ ଜଣାପଡ଼ିଛି। ରାଜନଗର ଡିଏଫ୍‌ଓ ବିକାଶ ରଂଜନ ଦାଶଙ୍କ ସୂଚନା ମୁତାବକ, ଚଳିତବର୍ଷ କନିକା ରେଂଜ୍‌ରେ ୫୦୩, ଗହୀରମଥା ରେଂଜ୍‌ରେ ୧୪୦, ରାଜନଗର ରେଂଜ୍‌ରେ ୨୪୮ସ୍ତନ୍ୟପାୟୀ ପ୍ରାଣୀ ବଢ଼ିଥିବା ବେଳେ ମହାକାଳପଡ଼ା ରେଂଜ୍‌ରେ ୧୨୬୪, କୁଜଙ୍ଗ ରେଂଜ୍‌ରେ ୨୦୧ ପ୍ରାଣୀ କମିଛନ୍ତି।

ଚଳିତବର୍ଷ ଗଣନା ରିପୋର୍ଟ ଅନୁଯାୟୀ ଭିତରକନିକାରେ ଚିତ୍ରା ହରିଣ ୩୧୧୮, ବାର୍‌ହା ୧୮୧୧, ସମ୍ବର ୪, ପାତିମାଙ୍କଡ଼ ୨୨୫୦, ହନୁମାଙ୍କଡ଼ ୬୧, ବିଲୁଆ ୩୬୬, ମାଛରଙ୍କା ବିରାଡ଼ି ୪୪, ହେଟାବାଘ ୧୦, ଓଧ ୧୪୪, ବଣବିରାଡ଼ି ୧୭, ନେଉଳ ୨୪, କୋକିଶିଆଳୀ ୧୦, ଚିତାବିରାଡ଼ି ୨, ଝିଙ୍କ ୨୩, ଶାଳିଆପାତନୀ ୧୩, ଠେକୁଆ ୭ଟି ଠାବ କରାଯାଇଛି। ଚଳିତବର୍ଷ କନିକା ରେଂଜ୍‌ରେ ସର୍ବାଧିକ ୫୨୪୪ ପ୍ରାଣୀଙ୍କୁ ଗଣନା ସମୟରେ ଚିହ୍ନଟ କରାଯାଇଛି। ରାଜନଗର ରେଂଜ୍‌ରେ ୧୭୫୭, ଗହୀରମଥାରେ ୨୪୮, ମହାକାଳପଡ଼ାରେ ୩୯୯, କୁଜଙ୍ଗ ରେଂଜ୍‌ରେ ୭୯୦୪ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଗଣନା କରାଯାଇଛି।

ଗତବର୍ଷ ଚିତ୍ରା ହରିଣଙ୍କ ସଂଖ୍ୟା ୩୧୦୮ ଥିବାବେଳେ ବାର୍‌ହା ୧୯୨୬, ସମ୍ବର ୧, ପାତିମାଙ୍କଡ଼ ୨୪୫୦, ହନୁମାଙ୍କଡ଼ ୨୪, ବିଲୁଆ ୩୭୧, ମାଛରଙ୍କା ବିରାଡ଼ି ୩୧, ହେଟାବାଘ ୧୦, ଓଧ ୮୯, ବଣବିରାଡ଼ି ୬, ନେଉଳ ୩୬, କୋକିଶିଆଳି ୨୮, ଚିତାବିରାଡ଼ି ୧, ଝିଙ୍କ ୧୪, ଶାଳିଆପାତିନୀ ୮, ଠେକୁଆଙ୍କ ସଂଖ୍ୟା ୨ ଥିଲା। ଚଳିତବର୍ଷ ଗଣନା ଅନୁଯାୟୀ ଚିତ୍ରାହରିଣଙ୍କ ସଂଖ୍ୟା ୧୦, ସମ୍ବର ୩, ହନୁମାଙ୍କଡ଼ ୩୭, ମାଛରଙ୍କା ବରାଡ଼ି ୧୩, ଓଧ ୫୫, ବଣବିରାଡ଼ି ୧୧, ଚିତାବିରାଡ଼ି ୧, ଝିଙ୍କ ୯, ଶାଳିଆପାତନୀ ୫, ଠେକୁଆ ୫ଟି ବଢିଥିବା ବେଳେ ବାର୍‌ହା ୧୧୫, ପାତିମାଙ୍କଡ଼ ୨୦୦, ବିଲୁଆ ୫, ନେଉଳ ୧୨, କୋକିଶିଆଳି ୧୮ଟି କମିଛନ୍ତି। କମିଥିବା ସ୍ତନ୍ୟପାୟୀ ପ୍ରାଣୀ କୁଆଡେ ଗଲେ ନା’ ଜାତୀୟ ଉଦ୍ୟାନରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢିଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Spread the love