ଆକାଂକ୍ଷା ଦୁବେ ଜୀବନ ହାରିବା ଘଟଣା: ଗିରଫ ହେ‌ଲେ ଫେରାର ଥିବା ପ୍ରେମିକ ସମର ସିଂହ

ମୁମ୍ବାଇ: ଚର୍ଚ୍ଚିତ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ବାରାଣସୀର ଏକ ହୋଟେଲରେ ଫାଶୀ ଲଗାଇ ଜୀବନ ହାରିଥିଲେ। ମାର୍ଚ୍ଚ ୨୬ ତାରିଖ ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ପ୍ରଥମେ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲା। ହେଲେ ପରେ ଆକାଂକ୍ଷାଙ୍କ ମା’ ବାରାଣସୀରେ ପହଞ୍ଚିବା ପରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା କହିଥିଲେ। ଆକାଂକ୍ଷାଙ୍କ ମା’ ମଧୁ ଦୁବେ ଭୋଜପୁରୀ ଗାୟକ ତଥା ଅଭିନେତ୍ରୀଙ୍କ ପ୍ରେମିକ ସମର ସିଂ ଏବଂ ତାଙ୍କ ଭାଇ ସଞ୍ଜୟ ସିଂଙ୍କ ଉପରେ ହତ୍ୟା ଆରୋପ ଲଗାଇଥିଲେ। ଏବେ ତାଙ୍କ ମା’ଙ୍କ ଅଭିଯୋଗକ୍ରମେ ପୁଲିସ ସମର ସିଂହଙ୍କୁ ଗିରଫ କରିଛି।

ଆକାଂକ୍ଷାଙ୍କ ମା’ ହତ୍ୟା ଅଭିଯୋଗ ଆଣିବା ପରେ ଫେରାର ହୋଇଯାଇଥିଲେ ସମର। ହେଲେ ଏବେ ତାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗାଜିଆବାଦର ନନ୍ଦିଗ୍ରାମ ଥାନା ଅଞ୍ଚଳରୁ ସମରକୁ ଗିରଫ କରିଛି ପୁଲିସ। ଗିରଫ ପରେ ଅଭିଯୁକ୍ତକୁ ଗାଜିଆବାଦର ସିଜେଏମ କୋର୍ଟରେ ହାଜର କରାଯାଇଥିବା ବେଳେ ଟ୍ରାଞ୍ଜିଟ ରିମାଣ୍ଡ ପାଇଁ ଆବେଦନ କରିଛି ପୁଲିସ।

ତେବେ ମୃତ ଆକାଂକ୍ଷା ଦୁବେଙ୍କ ମା’ ମଧୁ ଦୁବେଙ୍କ କହିବାନୁସାରେ, ସମର ସିଂ ଏବଂ ସଞ୍ଜୟ ସିଂ, ଆକାଂକ୍ଷାଙ୍କ ଦ୍ବାରା  କୋଟି କୋଟି ଟଙ୍କାର କାମ କରାଇବା ପରେ ଟଙ୍କା ଦେଉନଥିଲେ। ତିନି ବର୍ଷ ବିତିଥିଲେ ବି ଆକାଂକ୍ଷାଙ୍କୁ ଦୁଇ ଭାଇ ଟଙ୍କା ଦେଇନଥିଲେ। ଟଙ୍କା ମାଗିବା ପରେ ମାର୍ଚ୍ଚ ୨୧ରେ ସଞ୍ଜୟ ସିଂ ଆକାଂକ୍ଷାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ, ଯାହା ବିଷୟରେ ଆକାଂକ୍ଷା ନିଜେ ମୋତେ ଫୋନ କରି ଜଣାଇଥିଲେ।

Spread the love