ଆସନ୍ତାକାଲିଠାରୁ କଟକ , ଭୁବନେଶ୍ୱରରେ ନିୟମ ନମାନିଲେ ୫୦୦ ଜୋରିମାନା

ଭୁବନେଶ୍ୱର, ୩୦/୦୪: କଟକ-ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ ଏହି ଦୁଇ ମହାନଗର ନିଗମରେ ଦୋକାନ ବଜାର ଖୋଲିବା ଓ ଜନସାଧାରଣଙ୍କ ପାଇଁ ଏକ ନିୟମାବଳୀ ଜାରି କରାଯାଇଛି । ଏହାକୁ କୋଭିଡ ୧୯ ଅଧିନିୟମ ଭାବେ ଅଭିହିତ କରାଯାଇଛି ।  ପୋଲିସ କମିଶନର ଡଃ ସୁଧାଂଶୁ ଷଡଙ୍ଗୀ ଏହି ନୋଟିସ ଜାରୀ କରିଛନ୍ତି । ଏହି ନିୟମ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଗ୍ରାହକଙ୍କ ପାଇଁ ଲାଗୁହେବ। ନିୟମ ନମାନିଲେ ୫୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ହେବ ବୋଲି କଡା ଚେତାବନୀ ଦେଇଛନ୍ତି ।

ଏହି ଅଧିନିୟମ ୬୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କମିଶନର ଦର୍ଶାଇଛନ୍ତି । ଏଥିରେ ସାମାଜିକ ଦୂରତା ଦୁଇ ମିଟର ବା ୬ ଫୁଟ୍ ରହିବ, କେହି ପାନ ଗୁଟଖା ଖାଇ ବାହାରକୁ ଆସିପାରିବେ ନାହିଁ ଏବଂ ବାହାରେ ଛେପ ପକାଇ ପାରିବେ ନାହିଁ । ସମସ୍ତେ ମୁହଁ ଘୋଡାଇବା ଆବଶ୍ୟକ । ଦୋକାନୀ କର୍ମଚାରୀ ଓ ମାଲିକ ସମସ୍ତେ ମୁହଁ ଆବଦ୍ଧ କରିବେ ।

କୌଣସି ଗ୍ରାହକ ସାମାଜିକ ବ୍ୟବଧାନ ଯଦି  ନିୟମ ପାଳନ ନ କରନ୍ତି ଓ ମୁହଁ ଘୋଡାଇ ନଥାନ୍ତି, ତେବେ ୧୦୦କୁ ଫୋନ କରି ଦୋକାନ କର୍ମଚାରୀ ଓ ମାଲିକ ଜଣାଇବେ । ସମସ୍ତେ ମୁଖା ପରିଧାନ କରିବା ବାଧ୍ୟତାମୂଳକ । ଯଦି କେହି ମୁଖା ପରିଧାନ ନକରିଥାନ୍ତି, ତାଙ୍କୁ ଦୋକାନ ଭିତରକୁ ପ୍ରବେଶ କରିବାକୁ ଦେବେ ନାହିଁ । ପ୍ରତ୍ୟକ ବାଣିଜ୍ୟ ପ୍ରତିଷ୍ଠାନରେ ହାତ ଧୋଇବା ବା ସାନିଟାଇଜର ବ୍ୟବସ୍ଥା ରହିବ । ଏଭଳି କଡା ନିର୍ଦ୍ଦେଶନାମା ଡକ୍ଟର ଷଡଙ୍ଗୀ ଜାରି କରିଛନ୍ତି । ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ ।

Spread the love