ମଦ ଓ ଡ୍ୟାନ୍ସ ବାର କୁ ନାହିଁ କୋରୋନା ଭୟ !

ଭୁବନେଶ୍ୱର, ୧୪/୦୩: କୋରୋନା ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ସିନେମା ହଲ ଆଦି ବନ୍ଦ ହୋଇଯାଇଥିବାବେଳେ ଡ୍ୟାନ୍ସ ବାର ଗୁଡିକ ବେଧଡ଼଼କ ଚାଲୁଛି। ଡ୍ୟାନ୍ସ ବାରକୁ କୋରୋନା ଆସିପାରିବନି କି ବୋଲି ମଧ୍ୟ ସାଧାରଣରେ ଉଠୁଛି ପ୍ରଶ୍ନ ।

ରାଜ୍ୟରେ କୋରୋନା ମୁକାବିଲା ନେଇ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିବାପରେ, ଓଡିଶା ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏନେଇ ଏକାଧିକ ସଚେତନ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆସନ୍ତା 31 ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିସହିତ ସିନେମା ହଲ ଓ ସପିଂ ମଲକୁ ମଧ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ରାଜଧାନୀରେ ଏକତ୍ରିତ ହେଉଥିବା ସ୍ଥାନ ବିବାହ ମଣ୍ଡପ, ସର୍ବସାଧାରଣ ସଭା, ଜିମ ଓ ଲୋୟର ପିଏମଜି ଭଳି ଧାରଣା ସ୍ଥଳକୁ ମଧ୍ୟ ଅନୁମତି ମିଳିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଭିଡକୁ ବାରଣ କରାଯାଇଛି । ସଂକ୍ରମିତ ମଣିଷଠୁ ମଣିଷକୁ କୋରୋନା ବ୍ୟାପୁଥିବାରୁ ଗୋଟିଏ ସ୍ଥାନରେ ସର୍ବସାଧାରଣ ଏକତ୍ର ନହେବାକୁ ମଧ୍ୟ ସଚେତନ କରାଯାଉଛି । ତେବେ ଡ୍ୟାନ୍ସ ବାର ଓ ମଦ ଦୋକାନଗୁଡିକୁ ନେଇ ସରକାରଙ୍କ କୌଣସି ଆଡଭାଇଜରୀ ଜାରି ହୋଇନଥିବା ସାଧାରଣରେ ଗ୍ରହଣୀୟ ହୋଇନାହିଁ ।

ଏଠାକୁ ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରର ଲୋକଙ୍କ ଯିବା ଆସିବା ଲାଗିରହିଥାଏ । ଡ୍ୟାନ୍ସ ବାର ଗୁଡିକରେ ଭିଡ ମଧ୍ୟ ଦେଖିବାକୁ ମିଳୁଛି । ସଂକ୍ରମିତ ଲୋକଙ୍କ ସହ ଖାଦ୍ୟ ଓ ଡ୍ରିଙ୍କ୍‌ସ ଜରିଆରେ କରୋନା ବ୍ୟାପିବାର ଭୟ ରହିଛି। ତେବେ ଏହି ସ୍ଥାନମାନଙ୍କରେ କୋରୋନା ବ୍ୟାପିବାର ସମ୍ଭାବନା ସରକାର ଅନୁଭବ କରୁନାହାନ୍ତି କି ? କାରଣ ଡ୍ୟାନ୍ସ ବାର ଗୁଡିକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଆଡଭାଇଜରୀ କିମ୍ବା ସରକାରୀ ନିର୍ଦ୍ଦେଶାନାମା ଜାରି ହୋଇନଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।

Spread the love