ବୌଦ୍ଧରେ ତାପମାତ୍ରା ୪୩.୯ ଡିଗ୍ରି, ଭୁବନେଶ୍ବରରେ ପାରା ୪୩.୨ ଡିଗ୍ରି

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପୂର୍ବାହ୍‌ଣ ୮ଟା ପରେ ଓ ଅପରାହ୍‌ଣ ୩ଟା ପୂର୍ବରୁ ବାହାରକୁ ବାହାରିବା ଅସହ୍ୟ ହୋଇପଡୁଛି। ଆଜି ରାଜ୍ୟର ୨୮ଟି ସହରର ତାପାମାତ୍ରା ୪୦ ଡିଗ୍ରି ଉପରେ ରହିଛି। ୪୩.୯ ଡିଗ୍ରି ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ହୋଇଛି। ସେହିପରି ରାଜ୍ୟର ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ଭୁବନେଶ୍ବରରେ ଆଜି ତାପାମାତ୍ରା ୪୩.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ବୌଦ୍ଧ ଭଳି ଭୁବନେଶ୍ବରବାସୀ ପ୍ରବଳ ଖରାରେ ସିଝିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭୁବନେଶ୍ବରରେ ଆଜି ଦିନ ସାଢ଼େ ୧୧ଟାରେ ତାପମାତ୍ରା ୪୦.୨ ଡ଼ିଗ୍ରି ରେକର୍ଡ କରାଯାଇଥିଲା। ଅପରାହ୍‌ଣ ସାଢ଼େ ୨ଟା ବେଳକୁ ତାପମାତ୍ରା ବଢ଼ି ୪୨.୬ ଡିଗ୍ରିରେ ପହଞ୍ଚି ଥିଲା। ଶେଷର ଦିନର ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରିରେ ଅଟକିଥିଲା।

ଅନ୍ୟପଟରେ ଆଗାମୀ ୩୬ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୫ ଡିଗ୍ରି ଛୁଇଁପାରେ। ଏଥି ସହିତ ୪ଟି ଜିଲ୍ଲାକୁ ହିଟ ୱେଭ ଅରେଞ୍ଜ ଆଲର୍ଟ ଦିଆଯାଇଛି। କଟକ, ଖୋର୍ଦ୍ଧା, ମୟୁରଭଞ୍ଜ, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧରେ ମଧ୍ୟ ହିଟ ୱେଭ ସ୍ଥିତି ରହିଛି।

Spread the love