ଭୁବନେଶ୍ୱର ଏକତା ଦୌଡ଼ର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୁପେ ପାଳନ କରାଯାଉଛି । ଏହି ଅବସରରେ ଦେଶବ୍ୟାପୀ ଏକତା ପାଇଁ ଦୌଡ଼ (Run For Unity) କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ଗୁଜୁରାଟର କେୱଡ଼ିଆ ସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟ୍‌ରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ।

ଦିଲ୍ଲୀରେ ଆୟୋଜିତ ବିଶାଳ ଏକତା ପାଇଁ ଦୌଡ଼କୁ ଭାରତର ଗୃହମନ୍ତ୍ରୀ ଅମିତ୍ ଶାହା ପତାକା ଦେଖାଇ ଶୁଭାରମ୍ଭ କରୁଥିବା ବେଳେ ଭୁବନେଶ୍ୱରରେ ହେଉଥିବା ଗଣ ଦୌଡ଼ରେ ଯୋଗ ଦେବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନ୍ତରାଷ୍ଟ୍ରୀୟ କ୍ରୀଡ଼ାବୀତ୍ ପଦ୍ମଶ୍ରୀ ଦୀପିକା କୁମାରୀ, ପଦ୍ମଶ୍ରୀ ଶରତ କୁମାର, ଅର୍ଜୁନ ପୁରସ୍କାର ପ୍ରାପ୍ତ ଅଙ୍କୁର ମିତ୍ତଲ, ହୀନା ସିଦ୍ଧୁ ଓ ଅଲମ୍ପିୟାନ ଅନୁରାଧା ବିଶ୍ୱାଳ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଏହି ଗଣ ଦୌଡ଼ରେ ସାମିଲ ହେବେ । ଏହା ବ୍ୟତୀତ ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ଖ୍ୟାତି ଲାଭ କରିଥିବା ଓଡ଼ିଆ କ୍ରୀଡ଼ାବୀତ ଏବଂ ବିଶିଷ୍ଟ ଓଡ଼ିଆ ସିନେ କଳାକାର ମାନେ ମଧ୍ୟ ଏହି ଦୌଡ଼ରେ ଭାଗ ନେବେ । ଏହି ଦୌଡ଼ ଚନ୍ଦ୍ରଶେଖରପୁର ସ୍ଥିତ ରେଲୱେ ଷ୍ଟାଡ଼ିୟମରୁ ସକାଳ ୬ ଘଟିକାରେ ଆରମ୍ଭ ହୋଇ ପ୍ରେସ୍ ଛକ, କଳିଙ୍ଗ ହସ୍‌ପିଟାଲ ଛକ ଓ ଓମଫେଡ୍ ଛକ ଦେଇ ରେଲୱେ ଅଡ଼ିଟୋରିୟମ୍‌ରେ ପହଞ୍ଚିବ ।

Spread the love