ରାଜଧାନୀର ବଡ଼ଗଡରେ ହେବ ସବୁଠୁ ବଡ଼ ଗଣେଶ

ଆସୁଛି ଗଣେଶ ପୂଜା। ଏଥିପାଇଁ ରାଜଧାନୀର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଉତ୍ସାହର ସହ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।  ବଡ଼ଗଡରେ ଚଳିତ ବର୍ଷ ରାଜଧାନୀର ସବୁଠୁ ବଡ଼ ଗଣେଶ ହେବ। ଏଥିପାଇଁ ୫୧ ଫୁଟ୍‌ ଉଚ୍ଚର ଗଣେଶ ମୂର୍ତି ତିଆରି ଚାଲିଛି। ୧୯୮୫ ମସିହାରୁ ଏହି ପୂଜା ହୋଇଆସୁଛି। ବଡ଼ଗଡ଼ ଅଞ୍ଚଳର ବ୍ରାଇଟ୍ ଷ୍ଟାର୍ ୟୁଥ୍ ଆସୋସିଏସନ୍‌ର ସମ୍ପାଦକ ସଂଗ୍ରାମ ମାର୍ଥା କୁହନ୍ତି ପ୍ଲାଷ୍ଟର ଅଫ ପ୍ୟାରିସ, ବାଉଁଶ ଓ ସୋଲ ବ୍ୟବହାର କରି ମୂର୍ତ୍ତି କାର୍ଯ୍ୟ ହେଉଛି। କେବଳ ମୂର୍ତ୍ତି ନୁହେଁ ଲଡୁ ଓ ମୂଷା ମଧ୍ୟ ଆକର୍ଷଣୀୟ ଢଙ୍ଗରେ କରାଯାଉଛି ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ଜଟଣୀର କାରିଗର ଏଥିରେ ନିୟୋଜିତ ଅଛନ୍ତି। ଠାକୁରଙ୍କ ପାଇଁ ୫୦କେଜିର ଲଡ଼ୁ ତିଆରି କରାଯାଉଛି। ଏଥିସହ ୬ଫୁଟ୍ ଉଚ୍ଚତାର ମୂଷା ମଧ୍ୟ ଗଢ଼ାଯାଉଛି। ପୂଜା ସମୟରେ ୪ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମୀନାବଜାର ପଡ଼ିବ। ଚଳିତ ବର୍ଷ ମେଢ଼, ଆଲୋକ ସଜ୍ଜା ଓ ଭସାଣି ପାଇଁ ୧୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

Spread the love