ସମସ୍ତ ଭୂମିହୀନ ଲୋକଙ୍କୁ ଘରଡିହ ଯୋଗାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଗ୍ରାମାଂଚଳର ସମସ୍ତ ଗରିବ ପରିବାରଙ୍କ କଚ୍ଚା ଘରକୁ ପକ୍କାଘରରେ ପରିଣତ କରିବା ଦିଗରେ ଏକ ବଡ ପଦକ୍ଷେପ ସ୍ୱରୂପ ଗତ ୫ବର୍ଷ ମଧ୍ୟରେ ୨୫ ଲକ୍ଷ ୧୮ ହଜାର ୪ଶହ ୯୭ ପକ୍କା ଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମୀଣ ଗୃହ ନିର୍ମାଣ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନ ସଭାଗ୍ରୃଠାରେ ଅନୁଷ୍ଠିତ ଏହି ବୈଠକରେ ପଂଚାୟତ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ ଏ ସମ୍ବନ୍ଧୀୟ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।ଚଳିତମାସ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତି ସମୀକ୍ଷା କରି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର କାର୍ଯ୍ୟାନ୍ୱୟନକୁ ଅଧିକ ହିତାଧିକାରୀ-କେନ୍ଦ୍ରିକ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ପକ୍କାଘର ପାଇବା ପାଇଁ ଅପେକ୍ଷାରତ ତାଲିକା ଅନ୍ତର୍ଭୁକ୍ତ ସମସ୍ତ ଭୂମିହୀନ ପରିବାରକୁ ଘରଡିହ ଯୋଗାଇବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ, ଭୂମିହୀନ ପରିବାରମାନେ ହିଁ ପ୍ରକୃତରେ ଦରିଦ୍ରତମ ।ସେମାନଙ୍କୁ ପକ୍କାଘର ଯୋଗାଣ ଯୋଜନାର ମୌଳିକ ଳକ୍ଷ୍ୟ ହୋଇଥିବାରୁ ପ୍ରଚଳିତ ନିୟମକୁ କୋହଳ କରି ସେମାନଙ୍କୁ ଘରଡିହ ଯୋଗାଇବାକୁ ହେବ । ଆପଶ୍ୟକ ହେଲେ ଏଥିପାଇଁ ନିୟମରେ ସଂଶୋଧନ ପ୍ରସ୍ତାବ ପ୍ରସ୍ତୁି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ ଓ ପରିବେଶ ଏବଂ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଉନ୍ନୟନ କିମଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ସ୍ୱତନ୍ତ୍ର ପ୍ରକଳ୍ପ ସମୂହ ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ଶାସନ ସଚିବ ଶ୍ରୀ ଅଭୟ କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।