ଜେଏସ୍‌ଡବ୍ଲ୍ୟୁ-ଭୂଷଣ କାରଖାନା ଦୁର୍ଘଟଣା: ୫ ଦିନ ପରେ ମିଳିଲା ସୁରକ୍ଷାକର୍ମୀଙ୍କ ମୃତଦେହ

ଝାରସୁଗୁଡ଼ା, ୨୫/୦୧: ସମ୍ବଲପୁର ଠେଲକୁଲି ସ୍ଥିତ ଜେଏସ୍‌ଡବ୍ଲ୍ୟୁ-ଭୂଷଣ କାରଖାନା ସ୍ଲରି ପଣ୍ଡ ଭୁଶୁଡି ହୋଇଥିବା ଦୁର୍ଘଟଣାରେ ସୁରକ୍ଷାକର୍ମୀଙ୍କ ମୃତଦେହ ୫ ଦିନ ପରେ ଉଦ୍ଧାର ହୋଇଛି। ରାତିରେ ସ୍ଲରି ପଣ୍ଡ ନିକଟରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଅର୍ଜୁନ ରାମଙ୍କ ପତ୍ତା ମିଳୁ ନଥିଲା। ବ୍ୟାପକ ଅଞ୍ଚଳକୁ ଖୋଜାଖୋଜି କରିବା ପରେ ଆଜି ସନ୍ଧ୍ୟାରେ ଲୁହାଗୁଣ୍ଡ ମିଶ୍ରିତ ସ୍ଲରି ତଳେ ଚାପି ହୋଇ ଯାଇଥିବା ସିକୁରୀଟି ଗାର୍ଡଙ୍କ ମୃତଦେହକୁ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଠେଲକୋଲୋଇ ପୋଲିସ ମୃତକର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ମୃତକର ପରିବାରକୁ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ଜେଏସ୍‌ଡବ୍ଲୁ ଭୂଷଣ କର୍ତ୍ତୃପକ୍ଷ କହିଛନ୍ତି।

ସୂଚନା ଥାଉକି, ସମ୍ବଲପୁର ରେଙ୍ଗାଲି ବ୍ଳକର ଠେଲକୁଲିସ୍ଥିତ ଜେଏସ୍‌ଡବ୍ଲ୍ୟୁ- ଭୂଷଣ କାରଖାନାର ପେଲେଟ୍ ପ୍ଳାଣ୍ଟର ସ୍ଲରି ପଣ୍ଡ ଗତ ଗୁରୁବାର ଭୁଶୁଡି ବିରାଟ ଅଞ୍ଚଳକୁ ଏହି ପଣ୍ଡ୍‌ର ତରଳ ୱେଷ୍ଟେଜ୍ ଲୁହାଗୁଣ୍ଡ ମାଡି ଯାଇଥିଲା। ନିକଟରେ ଥିବା ବାଞ୍ଜିବେର୍ଣା ଗାଁକୁ ଏହି ବିଷାକ୍ତ ବର୍ଜ୍ୟ ମାଡି ଯିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିଲା। ଗୁରୁବାର ରାତି ପ୍ରାୟ ସାଢେ ୭ଟାରୁ ୮ଟା ମଧ୍ୟରେ ପେଲେଟ ପ୍ଲାଣ୍ଟର ସ୍ଲରି ପଣ୍ଡ ପାଚେରୀ ଭାଙ୍ଗି ଯାଇଥିଲା।

ଫଳରେ ଏଠାରେ ଜମାଟ ବାନ୍ଧିଥିବା ବିଷାକ୍ତ ତରଳ ଲୁହା ଫାଇନ୍ସ ନିକଟସ୍ଥ ବାଞ୍ଜିବେର୍ଣା ଗାଁ ଆଡ଼କୁ ମାଡିଯାଇ ବ୍ୟାପକ ଚାଷ ଜମିକୁ ଏହା ଛାଇ ଯାଇଥିବା ବେଳେ ଗାଧୁଆ ପୋଖରୀକୁ ବି ଏହି ବିଷାକ୍ତ ପାଣି ପ୍ରବେଶ କରିଥିଲା । ଫଳରେ ମାଛମାନେ ମରିବା ସହ ନିକଟରେ ଥିବା ଏକ କୁକୁଡା ଫାର୍ମ ବି କ୍ଷତିଗ୍ରସ୍ତ ହୋଇଥିଲା ।

Spread the love