ବିକ୍ରି ହୋଇଗଲା ଭୁଷଣ ଷ୍ଟିଲ୍‌, ଏବେ ପରିଚାଳନା ଭାର ସମ୍ଭାଳିବ JSW ଷ୍ଟିଲ୍ ‌‌

ବହୁ ବାଦ ବିବାଦ ପରେ ବିକ୍ରିହେଲା ଭୁଷଣ ଷ୍ଟିଲ କାରଖାନା । ଝାରସୁଗୁଡା ସୀମାବର୍ତ୍ତି ସମ୍ବଲପୁର ଜିଲ୍ଲା ଠେଲକୋଲୋଏ ଠାରେ ୨୦୦୪ ମସିହାରୁ ସଞ୍ଜୟ ସିଂହଲ ମାଲିକାନାରେ ଚାଲୁଥିବା ଭୁଷଣ ଷ୍ଟିଲ କାରଖାନାକୁ ଆଜି ବିଧିବଦ୍ଧ ଭାବେ କିଣି ନେଇଛି ଜିନ୍ଦଲ ଷ୍ଟିଲ ଲିମିଟେଡ୍।

ଭୁଷଣ ଷ୍ଟିଲ କମ୍ପାନୀର ମାଲିକ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୫୦ ହଜାର କୋଟି ଟଙ୍କା ଋଣ ନେଇ ଦେବାଳିଆ ହେବା ପରେ ଗତ ୪ ବର୍ଷ ହେବ କାରଖାନାକୁ ବ୍ୟାଙ୍କ ସମୂହ ଚଳାଇ ଆସୁଥିଲେ । ଏନସିଏଲଟି ପକ୍ଷରୁ ଏହି କାରଖାନାକୁ ନିଲାମ କରାଯିବାକୁ ବିଡିଂ ଆହ୍ୱାନ କରାଯିବା ପରେ ଟାଟା କଂପାନୀ ନିଜର ଆଗ୍ରହ ପ୍ରକାଶ କରିଥିଲା । କିନ୍ତୁ ଟାଟା କଂପାନୀଠାରୁ ଅଧିକ ଅର୍ଥ ଦେବାକୁ ରାଜି ହୋଇଥିଲା ଜେଏସଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍ । ଫଳରେ ଭୂଷଣକୁ ଜେଏସଡବ୍ଲ୍ୟୁ ହାତରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲା ଏନସିଏଲଟି ।

ଏହି ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପ୍ରାପ୍ୟ ପ୍ରଦାନ କରି କାରଖାନା ପରିଚାଳନା ଭାର ନେବାକୁ ଏନସିଏଲଟି ନିର୍ଦ୍ଦେଶ ଦେଇଛି । ଏହାପରେ ଆଜି ବିଧିବଦ୍ଧ ଭାବେ ନିଲାମ୍ ମୁଲ୍ୟ ୧୯ ହଜାର ୩୫୦ କୋଟି ଟଙ୍କା ପ୍ରଦାନ କରିଛି ଜେଏସଡବ୍ଲୁ । ଜେଏସଡବ୍ଲୁ କାରଖାନା କିଣିବା ପରେ କର୍ମଚାରୀ ମହଲରେ ରହିଥିବା ଆଶଙ୍କା ଦୂର ହେବା ସହ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳିଛି ।

Spread the love