ଓଡିଶା ସରକାର ୫-ଟି ସ୍କୁଲ ନାଁରେ ଦୁର୍ନୀତି କରୁଛନ୍ତି : ବିଭୂ ପ୍ରସାଦ ତରାଇ

ଭୁବନେଶ୍ୱର, ତା.୨୧/୦୭: ଓଡିଶାରେ ଶିକ୍ଷାନୁଷ୍ଠାନ ଦୁର୍ନୀତିର ଗନ୍ତାଘର ହୋଇଛି । ଶିକ୍ଷା କ୍ଷେତ୍ରରେ ସର୍ବ ଭାରତୀୟସ୍ତରରେ ଓଡ଼ିଶାର ସ୍ଥାନ ୨୪ନଂରେ ପଂହଚିଛି । ପିଜିଆଇ କ୍ଷେତ୍ରରେ ଓଡ଼ିଶାର ଶିକ୍ଷା ସବୁଠୁ ତଳେ ରହିଛି । ଓଡିଶାରେ ଶିକ୍ଷାର ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ଭୂଷୁଡିପଡିଛି । ଶିକ୍ଷା ଆମକୁ ଆତ୍ମନିର୍ଭରଶୀଳ ଓ ସ୍ୱାର୍ଥତ୍ୟାଗୀ କରାଏ କିନ୍ତୁ ୫-ଟି ସ୍କୁଲରେ ଅନ୍ତର୍ଭୁକ୍ତ ହେବାପରେ ସ୍କୁଲ ଗୃହ ନିର୍ମାଣରେ ହେଉଥିବା ବ୍ୟାପକ ଦୁର୍ନୀତି ଓ ହରିଲୁଟ୍‌କୁ ନିଜ ଆଖିରେ ଦେଖୁଛନ୍ତି ଛାତ୍ରଛାତ୍ରୀମାନେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ୫-ଟି ବିଭାଗ ଖୋଲାଯାଇ ବିଭିନ୍ନ ଜିଲ୍ଲାର ସ୍କୁଲ ଗୁଡିକର କିଭଳି ଭିତିଭୂମି ନିର୍ମାଣ ହେବ ଏବଂ ଶିକ୍ଷା ପ୍ରଚାରିତ ଓ ପ୍ରସାରିତ ହୋଇପାରିବ ସେ ନେଇ କାର୍ଯ୍ୟ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଯାହାର ଉପାହରଣ ଦେଖିବାକୁ ମିଳିଛି ଗତ ୧୯ତାରିଖରେ ପଢ଼ିଆରୀ ବିଦ୍ୟାପୀଠରେ । ଗତ ୬ମାସ ତଳେ କାକଟପୁର ନିର୍ବାଚନ ମଣ୍ଡଳୀର ତାଳଦାସ୍ଥିତ ପଢ଼ିଆରୀ ବିଦ୍ୟାପୀଠରେ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସ୍କୁଲର ଭିତିଭୂମି ନିର୍ମାଣ କରାଯାଇଥିଲା । ଗତ ୧୯ତାରିଖରେ ବିଦ୍ୟାଳୟର କମନ୍ ରୁମ୍‌ର ଛାତ ପ୍ଲାଷ୍ଟର ଖସି ଜଣେ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସେନାପତି ଓ ସିଆରସିସି ତ୍ରିଲୋଚନ ବେହେରା ଓ ଦୈତାରୀ ନାୟକ ଆହତ ହୋଇ ଭୁବନେଶ୍ୱରରେ ଆମ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଶ୍ରୀମତୀ ସେନାପତିଙ୍କ ଆଘାତରୁ ସ୍ପଷ୍ଟ ଜଣାପଡୁଛି ଯେ, ଓଡିଶା ସରକାର ୫-ଟି ନାଁରେ ଦୁର୍ନୀତି କରୁଛନ୍ତି ବୋଲି ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ଡ.ବିଭୂ ପ୍ରସାଦ ତରାଇ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତରାଇ କହିଛନ୍ତି ଯେ, ଜେଇ ସୁନୀଲ ପୁଟିଙ୍କ ନାଁରେ ୱାର୍କ ଅର୍ଡର ଦିଆଯାଇଛି, ବିଡିଓ ବବିତା ମଞ୍ଜରୀ ନାୟକ ପାଖରେ ଲୋକ ନିମ୍ନମାନର କାମ ହେଉଛି ବୋଲି ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରିନଥିଲେ । ଏଥିରୁ ସ୍ପଷ୍ଟ ୫-ଟି ସ୍କୁଲ ଗୁଡିକ ଠିକାଦାରୀରେ ଚାଲିଛି । ବିଜେଡି ନିର୍ବାଚନ ପାଣ୍ଠିକୁ କିଭଳି ଅର୍ଥ ଆସିବ ଶିକ୍ଷାନୁଷ୍ଠାନକୁ ଅସ୍ତ୍ର କରାଯାଇଛି । ୫୦ ଲକ୍ଷରୁ ମାତ୍ର ୧୦ଲକ୍ଷ ଖର୍ଚ୍ଚ କରାଯାଇ ଆଉ ସମସ୍ତ ଅର୍ଥ ହରିଲୁଟ୍ ହୋଇଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ଲୁଟ୍‌ରେ ତୃତୀୟ ମହଲାଠୁ ଆରମ୍ଭ କରି ୫-ଟି ସଚିବ ଏବଂ ବିଡିଓ, ଜେଓ ସହ କାକଟପୁର ବିଧାୟକ ଓ ସ୍ଥାନୀୟ ବିଜେଡି ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ପିସି କାରବାରରେ ସମୁଦାୟ ସଂପୃକ୍ତ । ୫-ଟି ଟିମ୍ ୱାର୍କ ନାମରେ ଲୁଟେରାମାନେ କାମ କରି ଅର୍ଥ ଶୋଷଣ କରୁଛନ୍ତି । ବିଜେଡିର ୫-ଟିକୁ ଟ୍ରାନ୍ସଫରେନ୍ସି କହୁଛି କିନ୍ତୁ ବାସ୍ତବରେ ଏହାର ଦୁର୍ନୀତିଯୁକ୍ତ ଶାସନ ବ୍ୟବସ୍ଥା ।
ଗତ ୬ମାସ ତଳେ ଏହି ସ୍କୁଲର ଭିତିଭୂମି ନିର୍ମାଣ ହୋଇଥିଲା ତାହା ଭୁଷୁଡି ଯାଇଛି, ଟେକନୋଲୋଜି କୁଆଡେ ଗଲା? ୫-ଟି ସ୍କୁଲକୁ ତରବରିଆଭାବେ ସଚିବଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ନସରୁଣୁ ଉଦ୍‌ଘାଟନ ହୋଇଥିଲା । ୫-ଟି ବ୍ୟବସ୍ଥା ଗୁଣାତ୍ମକ ଦୃଷ୍ଟିରୁ ଠିକଣା ଢଙ୍ଗରେ ଚାଲୁନାହିଁ । ସ୍କୁଲରେ ଶିକ୍ଷକଙ୍କ ଅଭାବ, ପାଠପଢ଼ା ହେଉନାହିଁ । ଅନ୍ୟପକ୍ଷରେ ବିଦ୍ୟାଳୟ କାନ୍ଥରୁ ସିମେଂଟ ଖସିବା, ରଙ୍ଗ ଛାଡିବା, ପାଚେରୀ ଭୁଷୁଡି ପଡିବା ଭଳି ପ୍ରତିଦିନ ଘଟଣା ଘଟୁଛି । ୫-ଟି ସ୍କୁଲ ନିର୍ମାଣ ଏବେ ବିଜେଡି ରାଜନେତା ଓ ଠିକାଦାରଙ୍କ ରୋଜଗାରର ମାଧ୍ୟମ ହୋଇଛି । “ଶିକ୍ଷା ହେଉଛି ସାରସ୍ୱତ ବ୍ୟବସ୍ଥାର ସ୍ଥାନ” କିନ୍ତୁ ତାହାକୁ ରାଜ୍ୟ ସରକାର କଳୁଷିତ କରିଛନ୍ତି ବୋଲି ଶ୍ରୀ ତରାଇ କହିଛନ୍ତି ।
“ଯା ବିଦ୍ୟା ସା ବିମୁକ୍ତାୟେ” ବିଦ୍ୟା ଆମକୁ ମୁକ୍ତ କରେ କିନ୍ତୁ ରାଜ୍ୟ ସରକାର ଶିକ୍ଷାର ମାନ ବୃଦ୍ଧି କରିବା ପରିବର୍ତେ ତାହାକୁ ଧ୍ୱଂସ କରୁଛନ୍ତି । ଯାହାର ଉଦାହରଣ ପଢ଼ିଆରୀ ବିଦ୍ୟାପୀଠ । ବିଡିଓ, ଜେଇଙ୍କ ଅବହେଳା ହେତୁ ଏଭଳି ଘଟଣା ଘଟିଥିବାରୁ ତାଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯିବା ସହ ଠିକାଦାର ବିରୋଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ. ତରାଇ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ସୁଦର୍ଶନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଅଛନ୍ତି ।

Spread the love