ବିଗିଡିଲା ଦେବଗଡ ବିଧାୟକଙ୍କ ସ୍ଵାସ୍ଥ୍ୟବସ୍ଥା, ବୁର୍ଲା ସ୍ଥାନାନ୍ତର

ଦେବଗଡ : ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ବୁଧବାର ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବୁଧବାର ପୂର୍ବାହ୍ନରେ ପ୍ରାୟ ୨ଟା୩୦ରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସ୍ଥାନାନ୍ତରିତ କରାଯାଇଛି।  ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଏନେଇ ପୂର୍ବାହ୍ନ ସମୟରେ  ତାଙ୍କୁ  ଚିକିତ୍ସା କରୁଥିବା ଡାକ୍ତର ମନୋରଞ୍ଜନ ସାମଲ ପରାମର୍ଶ ଦେଇଥିଲେ। ତାଙ୍କର ଉଚ୍ଚ ରକ୍ତଚାପ ସହ ଶରୀରରେ ଗ୍ଳୁକୋଜ ସ୍ତର ଅଧିକ ରହୁଛି। କୋଲୋଷ୍ଟ୍ରାଲ ସ୍ତର ମଧ୍ୟ ଅଧିକ ରହିଛି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ଅଭିଯୋଗ କଲା ପରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇସିଜି ପରୀକ୍ଷାରୁ ହାର୍ଟରେ ଅସୁବିଧା ରହିଥିବା ଜଣାପଡିଛି।

ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ହାର୍ଟର ଚିକିତ୍ସା ପାଇଁ କୌଣସି ସୁବିଧା ନଥିବାରୁ ବୁର୍ଲା ସ୍ଥାନାନ୍ତର ପରାମର୍ଶ ଦେଇଥିଲେ ଡାକ୍ତର। କଡା ପୋଲିସ  ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ  ବୁର୍ଲା  ସ୍ଥାନାନ୍ତରିତ କରାଯାଇଛି  । ଗତ ଦୁଇ ତାରିଖ ଠାରୁ ସେ ଗିରଫ ହେବା ପରେ ଅସୁସ୍ଥତା କାରଣରୁ ଦେବଗଡ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିଲେ।

Spread the love