ଇସ୍‌କନ୍‌ ସେତୁରେ ‘ଡବଲ୍‌’ ଦୁର୍ଘଟଣା; ୯ ମୃତ, ୨୦ ଆହତ

ଅହମଦାବାଦ: ବୁଧବାର ବିଳମ୍ବିତ ରାତ୍ରରେ ଗୁଜରାଟର ଅହମଦାବାଦ ଅନ୍ତର୍ଗତ ଇସ୍‌କନ୍‌ ସେତୁ ଉପରେ ୨ଟି ଦୁର୍ଘଟଣା ଯୋଗୁଁ ୯ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ୨୦ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ସଂଗୃହୀତ ସୂଚନା ଅନୁସାରେ, ଅହମଦାବାଦ-ସରଖେଜ୍‌-ଗାନ୍ଧୀନଗର (ଏସ୍‌ଜି) ରାଜପଥ ଉପରେ ପୂର୍ବରୁ ହୋଇଥିବା ଗୋଟାଏ ଟ୍ରକ୍‌ ଓ କାର୍‌ ଦୁର୍ଘଟଣା ଦେଖିବା ଲାଗି ଗହଳି କରିଥିବା ଲୋକଙ୍କ ଉପରକୁ ରାଜପଥ କ୍ଲବ୍‌ ଆଡୁ ଅତି ଦ୍ରୁତ ବେଗରେ ଆସୁଥିବା ଆଉ ଗୋଟାଏ ‘ଜାଗୁଆର୍‌’ କାର୍‌ ମାଡ଼ି ଯିବାରୁ ଘଟଣା ସ୍ଥଳରେ ଅନ୍ୟୂନ ୬/୭ଜଣଙ୍କର ମୃତ୍ୟୁ ଘଟିଲା। ଧକ୍କା ଏଡ଼େ ପ୍ରଚଣ୍ଡ ଥିଲା ଯେ, କିଛି ଲୋକ ୨୫ରୁ ୩୦ ଫୁଟ୍‌ ଦୂରକୁ ଛିଟିକି ପଡ଼ିଥିଲେ।

ଚିକିତ୍ସା ନିମନ୍ତେ ଆହତମାନଙ୍କୁ ତୁରନ୍ତ ଆସର୍‌ୱା ସିଭିଲ୍‌ ହସ୍ପିଟାଲ୍‌କୁ ନିଆଯାଇଛି। ଆହତ ଜାଗୁଆର୍‌ କାର୍‌ ଚଳାଉଥିବା ବ୍ୟକ୍ତିଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସେହିପରି, ମୃତବ୍ୟକ୍ତିମାନଙ୍କ ଶବଗୁଡ଼ିକୁ ସୋଲାସ୍ଥିତ ସିଭିଲ୍‌ ହସ୍ପିଟାଲ୍‌କୁ ନିଆଯାଇଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଦୁର୍ଘଟଣାସ୍ଥଳରେ ଡିୟୁଟି କରୁଥିବା ଜଣେ କନେଷ୍ଟବଳ ଓ ଜଣେ ହୋମ୍‌ଗାର୍ଡ।

ପୁଲିସ କହିବା ଅନୁସାରେ, ବିଳମ୍ବିତ ରାତ୍ରରେ ଇସ୍‌କନ୍‌ ଫ୍ଲାଏଓଭର୍‌ ଉପରେ ପ୍ରଥମେ ଗୋଟାଏ ମହିନ୍ଦ୍ରା ‘ଥର୍‌’ ଗାଡ଼ି ଗୋଟାଏ ଡମ୍ପର୍‌ ଟ୍ରକ୍‌ ପଛରେ ଧକ୍କା ଦେଇଥିଲା। ତାହା ଦେଖିବା ପାଇଁ ବହୁସଂଖ୍ୟକ ଲୋକ ସେଠାରେ ଜମା ହୋଇଥିଲେ। ସେତିକି ବେଳେ ଦ୍ରୁତ ବେଗରେ ଗୋଟାଏ ଜାଗୁଆର୍‌ କାର୍‌ ଚଳାଇ ଆସୁଥିବା ବ୍ୟକ୍ତି ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ପୂର୍ବ ଦୁର୍ଘଟଣା ଦେଖୁଥିବା ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା।

ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ସେ ଅଞ୍ଚଳରେ ଲାଗିଥିବା ‘ସିସିଟିଭି ଫୁଟେଜ୍‌’ ଯାଞ୍ଚ କରିବା ସହିତ ପ୍ରତ୍ୟକ୍ଷଦର୍ଶୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରୁଛି।

Spread the love