ପ୍ରେମିକ ସହ ଖଣ୍ଡାଧାର ବୁଲି ବାହାରିଥିଲେ, ଉପରେ ପଡିଲା ବିଶାଳ ଶାଳଗଛ, ଜୀବନ ହାରିଲା ପ୍ରେମିକା

ପ୍ରେମିକ ସହ ଖଣ୍ଡାଧାର ବୁଲି ଯାଇଥିଲେ । କିନ୍ତୁ ଛପି ରହିଥିଲା ମୃତ୍ୟୁ । ଏହାର ଟେର୍ ମଧ୍ୟ ପାଇନଥିଲେ ପ୍ରେମିକା ଜଣଙ୍କ । କିନ୍ତୁ ବୁଲିଗଲା ସମୟରେ ବାଇକ୍ ଉପରେ ଖସି ପଡିଲା ବିଶାଳ ଶାଳ ଗଛ । ଚାଲିଗଲା ପ୍ରେମିକାର ଜୀବନ । ଏପରି ଏକ ଅଘଟଣ ଘଟିଛି ସୁନ୍ଦରଗଡ ମହୁଲପଦାଠାରେ ।
ସୂଚନାନୁସାରେ, ଏକ ପ୍ରେମୀଯୁଗଳ ସୁନ୍ଦରଗଡର ପ୍ରସିଦ୍ଧ ଜଳପ୍ରପାତ ଖଣ୍ଡାଧାର ବୁଲିବାକୁ ବାହାରିଥିଲେ । ତେବେ ସେମାନେ ଜାଣିନଥିଲେ ବାଟରେ ଛକି ରହିଥିଲା ମୃତ୍ୟୁ । ବାଇକରେ ଯିବା ବେଳେ ମହୁଲପଦାଠାରେ ହଠାତ ଏକ ବିରାଟ ଶାଳ ଗଛ ସେମାନଙ୍କ ବାଇକ୍ ଉପରେ ପଡିଯାଇଥିଲା । ଏଥିରେ ପ୍ରେମିକାଜଣଙ୍କ ପ୍ରାଣ ହରାଇଥିଲେ । ପ୍ରେମିକର ଆଖି ସାମ୍ନାରେ ଜୀବନ ହାରିଥିଲେ ପ୍ରେମିକା ।
କିନ୍ତୁ ପ୍ରେମିକାକୁ ଡାକ୍ତରଖାନା ନେବା କିମ୍ବା କୌଣସି ସମ୍ପର୍କୀୟଙ୍କୁ ଖବର ଦେବା ବଦଳରେ ଘଟଣାସ୍ଥଳରୁ ଛୁ ମାରିଥିଲା ପ୍ରେମିକ । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁବରଣ କରିଥିବା ଯୁବତୀ ଲାଠିକଟା ଥାନା ଏରଗେଢ଼ା ଗାଁର ଅନିତା ଭୂମିଜ ବୋଲି ଜଣାପଡିଛି । ସେହିପରି ଫେରାର ପ୍ରେମିକକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରୁଛି ।

Spread the love