ଦ୍ୱିତୀୟ ବିବାହ ପାଇଁ ପ୍ରଥମେ ଅନୁମତି ନେବେ ସରକାରୀ କର୍ମଚାରୀ

ଟନା: ବିନା ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେନି ବିହାର ସରକାରଙ୍କ କର୍ମଚାରୀ। ଦ୍ୱିତୀୟ ବିବାହ କରିବା ପୂର୍ବରୁ ପ୍ରଥମେ ସେମାନେ ଏ ସମ୍ପର୍କରେ ନିଜ ବିଭାଗକୁ ଜଣାଇବେ। ବିଭାଗଠାରୁ ଅନୁମତି ମିଳିବା ପରେ ହିଁ ସେମାନେ ଦ୍ୱିତୀୟ ବିବାହ କରିପାରିବେ। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁ ସରକାରୀ କର୍ମଚାରୀମାନେ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି, ସେମାନେ ପ୍ରଥମେ ନିଜର ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ଠାରୁ ଆଇନଗତ ଉପାୟରେ ଅଲଗା ହେବାକୁ ଆବେଦନ କରିବେ। ଏ ସମ୍ପର୍କରେ ସେମାନେ ନିଜ ବିଭାଗକୁ ଅବଗତ କରାଇବେ। ଯଦି କର୍ମଚାରୀଙ୍କ ପ୍ରଥମ ସ୍ୱାମୀ କିମ୍ବା ସ୍ତ୍ରୀ ବିବାହକୁ ବିରୋଧ କରିବେ, ତା’ହେଲେ ଦ୍ୱିତୀୟ ପତ୍ନୀ କିମ୍ବା ସ୍ୱାମୀଙ୍କୁ କୌଣସି ସରକାର ସୁବିଧା ସୁଯୋଗ ମିଳିବ ନାହିଁ।

ଯଦି କୌଣସି ସରକାରୀ କର୍ମଚାରୀ ବିଭାଗର ବିନା ଅନୁମତି ଦ୍ୱିତୀୟ ବିବାହ କରିଥିବେ ଓ କାର୍ଯ୍ୟକାଳ ସମୟରେ ପ୍ରାଣ ହରାଇବେ, ତା’ହେଲେ ତାଙ୍କ ଦ୍ୱିତୀୟ ପତ୍ନୀ କିମ୍ବା ସ୍ୱାମୀ ଓ ସେମାନଙ୍କ ପିଲାମାନଙ୍କୁ କ୍ଷତିପୂରଣ ସ୍ୱରୂପ ସରକାରୀ ଚାକିରି ମିଳିବ ନାହିଁ। ଏପରି ସ୍ଥିତିରେ ପ୍ରଥମ ପତ୍ନୀ କିମ୍ବା ସ୍ୱାମୀଙ୍କ ପିଲାଙ୍କୁ ସରକାର ଚାକିରି କ୍ଷେତ୍ରରେ ଅଗ୍ରାଧିକାର ମିଳିବ। ଜେନେରାଲ ଆଡମିନଷ୍ଟ୍ରେସନ ପକ୍ଷରୁ ଏହି ନିୟମ ସମ୍ପର୍କରେ ସମସ୍ତ ଡିଭିଜନାଲ କମିଶନର, ଜିଲ୍ଲା ମାଜିଷ୍ଟ୍ରେଟ, ସବ ଡିଭିଜନାଲ ମାଜିଷ୍ଟ୍ରେଟ, ଡିଜିପି, ହୋମଗାର୍ଡ ଡିଜିପି, ଜେଲ ଡିଜିପି ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଏହାକୁ ତୁରନ୍ତ ଲାଗୁ କରିବାକୁ ମଧ୍ୟ କୁହାଯାଇଛି।

Spread the love