ସ୍ତ୍ରୀ’ଙ୍କୁ ଶିବ ମନ୍ଦିରରେ ପ୍ରେମିକ ସହିତ ବାହା କରାଇଲେ ସ୍ବାମୀ

ପାଟନା: ବିହାର ରାଜ୍ୟର ନୱାଡ଼ା ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପ୍ରେମିକ ସହିତ ପୁନର୍ମିଳନ କରାଇ ସେମାନଙ୍କର ବାହାଘର କରାଇ ଦେଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ସ୍ବାମୀଙ୍କ ଉପସ୍ଥିତିରେ ଏକ ଶିବ ମନ୍ଦିରରେ ଦୁହିଁଙ୍କର ବାହାଘର ସମୟର ଦୃଶ୍ୟ ବି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖାଯାଉଛି, ସେ ମହିଳାଙ୍କ ପ୍ରେମିକ ତାଙ୍କ ସିନ୍ଥିରେ ସିନ୍ଦୂର ଲଗାଇ ଦେଉଛନ୍ତି। ପ୍ରେମିକ କପାଳରେ ସିନ୍ଦୂର ଲଗାଇ ଦେବା ବେଳେ ମହିଳାଜଣକ କାନ୍ଦିପକାଉଛନ୍ତି। ଉପସ୍ଥିତ ଲୋକେ ବି ଏ ଦୃଶ୍ୟକୁ ନିଜ ନିଜର ମୋବାଇଲ୍‌ କ୍ୟାମେରାରେ ଉତ୍ତୋଳନ କରୁଛନ୍ତି।

ସ୍ବାମୀ କାମକୁ ବାହାରି ଯାଇଥିବା ବ‌େଳେ ବିଳମ୍ବିତ ରାତ୍ରୀରେ ମହିଳାଜଣକ ପ୍ରେମିକଙ୍କୁ ଭେଟିବା ପାଇଁ ଯାଇଥିଲେ। ଦୁର୍ଯୋଗକୁ ଦୁହେଁ ପରିବାର ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ପରିବାର ଲୋକେ ସେ ପ୍ରେମିକଙ୍କୁ ମାରଧର କରି ଦୁହଁଙ୍କୁ ଅଟକ ରଖିଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ବି ସେ ଦୁହିଁଙ୍କୁ ଗାଁ ଛାଡ଼ି ଚାଲିଯିବାକୁ କହିଲେ। କିନ୍ତୁ, ମହିଳାଙ୍କ ସ୍ବାମୀ କାମରୁ ଫେରି ସବୁ କଥା ବୁଝିବା ପରେ ଦୁହିଁଙ୍କୁ ମନ୍ଦିରକୁ ନେଇ ଯାଇ ସେଠାରେ ସେମାନଙ୍କର ବାହାଘର କରାଇଦେଲେ। ସୂଚନାଯୋଗ୍ୟ, ମହିଳାଙ୍କର ସେ ପ୍ରେମିକ ବିବାହିତ ଓ ତାଙ୍କର ୩ଟି ସନ୍ତାନ ଅଛନ୍ତି। ଘଟଣା ସଂକ୍ରାନ୍ତରେ ପୁଲିସକୁ ପଚରା ଯିବାରୁ ସେମାନେ କହିଲେ କି, ଏ ସଂକ୍ରାନ୍ତରେ ଆମେ ଅବଗତ ଅଛୁ, କିନ୍ତୁ କେହି ଆମ ନିକଟରେ ଏପର୍ଯ୍ୟନ୍ତ ଅଭିଯୋଗ କରି ନାହାନ୍ତି।

Spread the love