୫ଟି ସଚିବଙ୍କ ବିରୁଦ୍ଧରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ

ଭୁବନେଶ୍ବର: ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ନାଁରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ଉକ୍ତ ଚିଠିରେ ସେ ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ ଚିଠିରେ ନିୟମ ଉଲ୍ଲଂଘନର ଏକାଧିକ ଉଦାହରଣ ବି ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ।

୫ଟିଙ୍କ ଗସ୍ତକୁ ନେଇ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଦାବି ଜଣାଇଛନ୍ତି ବିଜୟ।ବିଜୟ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, ପାରଳାଖେମୁଣ୍ଡିର ରାମନଗର ହାତୀବାଡ଼ି ରୋଡରେ ଥିବା ଏକ ଗୀର୍ଜା ଲାଗି ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଯିବା ନେଇ ବିଜ୍ଞାପନ ହୋର୍ଡିଂରେ ବିଜୁ ଜନତା ଦଳର ଚିହ୍ନ ଓ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଫଟୋ ଲାଗିଥିଲା, ଯାହାକି ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ। ୫ଟି ସଚିବ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ସାଧାରଣରେ ଅନୁଦାନ ମଞ୍ଜୁର କଥା ଘୋଷଣା କରୁଛନ୍ତି। ଖାଲି ସେତିକି ନୁହେଁ, ୫ଟି ସଚିବ ଭି. କେ. ପାଣ୍ଡିଆନ ନିଜର ବିଭିନ୍ନ ଅଞ୍ଚଳ ଗସ୍ତର ଫଟୋ ମଧ୍ୟ ସେଆର୍ କରୁଛନ୍ତି। ସେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ତାଙ୍କ ପଠାଇଥିବା କଥା ନେଇ ଘୋଷଣା କରୁଛନ୍ତି।

Spread the love