ହାଜର ହେଲେ ସୋମାଲିକା; ଆସିଲେନି ବିଜୟଶଙ୍କର

କଟକ: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ ବଢିଛି। ବିଜୟଶଙ୍କର ଯେଉଁ ଯୁବତୀଙ୍କ ସହିତ ବିବାହ ପାଇଁ ଦରଖାସ୍ତ କରିଛନ୍ତି ସେ ବିବାହିତା ବୋଲି ସୋମାଲିକା ଦାଶ ଅଭିଯୋଗ କରିଛନ୍ତି। କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସରଙ୍କ ନିକଟରେ ସୋମାଲିକା ଏପରି ଅଭିଯୋଗ କରିଛନ୍ତି। ଅକ୍ଟୋବର ୩୧ରେ ସୋମାଲିକା, ବିଜୟଶଙ୍କର ଓ ତାଙ୍କ ସହିତ ବିବାହ ପାଇଁ ଆବେଦନ କରିଥିବା ଯୁବତୀଙ୍କୁ ମ୍ୟାରେଜ ଅଫିସର ନଭେମ୍ବର ୭ରେ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲେ। ନୋଟିସ୍ ଆଧାରରେ ଆଜି ସୋମାଲିକା ମ୍ୟାରେଜ ଅଫିସରଙ୍କ ନିକଟରେ ହାଜର ହୋଇଥିଲେ। କିନ୍ତୁ ବିଜୟଶଙ୍କର ଓ ତାଙ୍କ ସହିତ ବିବାହ ପାଇଁ ଦରଖାସ୍ତ କରିଥିବା ଯୁବତୀ ଆଜି ମ୍ୟାରେଜ ଅଫିସରଙ୍କ ନିକଟରେ ହାଜର ହୋଇ ନଥିଲେ କି ସେମାନଙ୍କ ତରଫରୁ ଅନୁପସ୍ଥିତିର କାରଣ ନେଇ କୌଣସି ସୂଚନା ଦିଆଯାଇ ନଥିଲା। ମ୍ୟାରେଜ ଅଫିସରଙ୍କ ତରଫରୁ କରାଯାଉଥିବା ତଦନ୍ତ ପ୍ରକ୍ରିୟାରେ ସୋମାଲିକା ଅଂଶଗ୍ରହଣ କରିବା ସହିତ ନିଜ ପକ୍ଷ ରଖିଥିଲେ।

ପୂର୍ବରୁ ସୋମାଲିକା ଲିଖିତ ଆପତ୍ତି ଦାଖଲ କରିଥିବା ବେଳେ ସ୍ପେଶାଲ ମ୍ୟାରେଜ ଆକ୍ଟର ଧାରା ୫ ଅନ୍ତର୍ଗତ କେତେକ ପ୍ରଶ୍ନ ତାଙ୍କୁ ମ୍ୟାରେଜ ଅଫିସର ଆଜି ପଚାରିଥିଲେ। ବିବାହ ପଞ୍ଜୀକରଣ ପାଇଁ ବିଜୟଶଙ୍କରଙ୍କ ସହିତ ଆବେଦନ କରିଥିବା ଯୁବତୀ ନିଜକୁ ଅବିବାହିତା ବୋଲି ଦରଖାସ୍ତରେ ଉଲ୍ଲେଖ କରିଥିବା ତଥ୍ୟ ସତ୍ୟ ନୁହେଁ ବୋଲି ସୋମାଲିକା ଦର୍ଶାଇଥିଲେ। ସଂପୃକ୍ତ ଯୁବତୀ ବିବାହିତା ବୋଲି ସୋମାଲିକା କହିଥିଲେ। ଏଭଳି ଅଭିଯୋଗ ସପକ୍ଷରେ ପ୍ରମାଣ ଦାଖଲ କରିବାକୁ ମ୍ୟାରେଜ ଅଫିସର ସୋମାଲିକାଙ୍କୁ କହିଥିଲେ। ଏଥିପାଇଁ ସୋମାଲିକା ଅଧିକ ସମୟ ଲୋଡ଼ିଥିଲେ।

ଏଥି ସହିତ ସୋମାଲିକାଙ୍କ ତରଫରୁ ତିନି ଜଣ ସାକ୍ଷୀଙ୍କ ତାଲିକା ମ୍ୟାରେଜ ଅଫିସରଙ୍କୁ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ ଏହି ସାକ୍ଷୀଙ୍କୁ ନୋଟିସ୍ ଜାରି କରାଯିବ ବୋଲି ମ୍ୟାରେଜ ଅଫିସର ଗୋପବନ୍ଧୁ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୋମାଲିକା ଯେଉଁ ଅଭିଯୋଗ କରିଛନ୍ତି ସେ ନେଇ ପ୍ରମାଣ ଦାଖଲ କରିବାକୁ ତାଙ୍କୁ କୁହାଯାଇଛି ବୋଲି ମ୍ୟାରେଜ ଅଫିସର କହିଛନ୍ତି। ନଭେମ୍ବର ୨୧ରେ ପୁଣି ମ୍ୟାରେଜ ଅଫିସରଙ୍କ ନିକଟରେ ଏହି ପ୍ରସଂଗରେ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଏ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମାଲିକା କହିଥିଲେ ଯେ ସେ ନିଜ ପକ୍ଷ ଆଜି ରଖିଥିଲେ। ପରବର୍ତ୍ତୀ ଶୁଣାଣି ସମୟରେ ସେ ନିଜ ଆପତ୍ତି ସପକ୍ଷରେ କେତେକ ପ୍ରମାଣ ଦାଖଲ କରିବେ।

Spread the love