‘ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ, ମୁଖ୍ୟମନ୍ତ୍ରୀ କହିଲେ- ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା(ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି) ଗସ୍ତ ଅବସରରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୂଆପଡା ଠାରେ ମୋଟ ୭୬୬ କୋଟି ଟଙ୍କାର ୧୮୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ବିକାଶମୂଳକ ପ୍ରକଳ୍ପ ସାମିଲ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଲେଟପାଣିରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ଆମର ପ୍ରିୟ ନେତା ବିଜୁ ବାବୁଙ୍କ ଜନ୍ମଦିବସ ପାଳନ କରାଯାଉଛି । ବିଜୁବାବୁ ଓଡ଼ିଶାବାସୀଙ୍କ ଭରସା ଥିଲେ । ଏ ମାଟିର ମଣିଷଙ୍କ ସ୍ୱପ୍ନ ସହ ସେ ସବୁବେଳେ ଯୋଡ଼ି ହୋଇ ରହିବାକୁ ଭଲ ପାଉଥିଲେ। ଜଣେ ଓଡ଼ିଆ ଭାବେ ସେ ନିଜକୁ ବହୁତ ଗର୍ବ କରୁଥିଲେ। ତେଣୁ ତାଙ୍କ ଜନ୍ମଦିବସରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ର ଲୋକାର୍ପଣ କରି ମୁଁ ବହୁତ ଖୁସି ଅନୁଭବ କରୁଛି। ମୁଁ କଥାରେ ନୁହେଁ। ବରଂ କାମରେ ବିଶ୍ୱାସ କରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ‘ବିଜୁ ଏକ୍ସପ୍ରେସ୍‌ ୱେ’ରେ ଘାଟିପଡା ଠାରୁ ଆମପାନି ପର୍ଯ୍ୟନ୍ତ ନିର୍ମାଣ କାମ ରେକର୍ଡ ବର୍ଷକ ମଧ୍ୟରେ ଶେଷ ହୋଇଛି।

ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ବିଜୁ ଏକ୍ସପ୍ରେସ୍‌ ୱେ’ ଏକ ସାଧାରଣ ରାସ୍ତା ନୁହେଁ। ଏହା ଏହି ଅଞ୍ଚଳର ଜୀବନରେଖା। ଏହି ରାସ୍ତା ବିକାଶର ନୂଆ ଇତିହାସ ଲେଖିବ। ଏହି ରାସ୍ତା ପାଇଁ ଚାଷୀ ଭାଇ, ସାଧାରଣ ଲୋକ ସୁବିଧା ପାଇବେ। ସ୍ୱାସ୍ଥ୍ୟସେବାରେ ଉନ୍ନତି ପରିଲିକ୍ଷିତ ହେବ। ଅର୍ଥନୈତିକ ସ୍ତରରେ ଏହା ବେଶ ଉପଯୋଗୀ ସାବ୍ୟସ୍ତ ହେବ। ନୂଆ ଶିଳ୍ପ ଗଢି ଉଠିବ । ‘ଏକ୍ସପ୍ରେସ୍‌ ୱେ’ର ଦୁଇ ପାଖରେ ବିଜୁ ଇକୋନୋମିକ କରିଡର କରାଯାଇଛି। ଏହା ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସୁବିଧା ପାଇବେ। ଇକୋନୋମିକ କରିଡରରେ ପୁଞ୍ଜି ବିନିଯୋଗ ପାଇଁ ଅଧିକ ଇନସେନଟିଭ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜୁବାବୁଙ୍କ ସ୍ୱପ୍ନ ଥିଲା ସଶକ୍ତ ଓଡ଼ିଶା । ସେ ଦିଗରେ ଆମେ ସଫଳତାର ସହ ଆଗକୁ ବଢୁଛୁ। ଏହାସହ ନୂଆପଡା ଜିଲ୍ଲାର ମା’ ମାନଙ୍କୁ ୨୫ କୋଟି ଟଙ୍କାର ଋଣ ସହାୟତା ରାଶି ପ୍ରଦାନ କରାଯାଇଛି । ନୂଆପଡା ଜିଲ୍ଲାର ବିକାଶକୁ ଆହୁରି ଆଗେଇ ନେବାକୁ ୭୫୦ କୋଟି ଟଙ୍କାର ଅଧିକ ପ୍ରକଳ୍ପକୁ ଆରମ୍ଭ କରି ଖୁସି ଅନୁଭବ କରୁଛି।

Spread the love