ବିଜୁବାବୁଙ୍କ ବିଭିନ୍ନ ତୈଳଚିତ୍ର ଓଡ଼ିଶା ବିଧାନସଭାକୁ ପ୍ରଦାନ, ସଂସ୍ଥାର ଉଦ୍ୟମକୁ ସ୍ୱାଗତ କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ବିଭିନ୍ନ ତୈଳଚିତ୍ର ବିଧାନସଭାକୁ ପ୍ରଦାନ କରାଯାଇଛି। ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରସ୍ତୁତ ଏହି ତୈଳଚିତ୍ରଗୁଡ଼ିକର ସ୍ଥାୟୀ ସଂରକ୍ଷଣ ଏବଂ ସାର୍ବଜନୀନ ପ୍ରଦର୍ଶନ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

ବୁଧବାର ଦିନ ‘ଓଡ଼ିଶାଲାଇଭ୍‌’ ମିଡ଼ିଆ ନେଟଓ୍ଵର୍କ ପକ୍ଷରୁ ଏହାର ଅନ୍ୟତମ ନିର୍ଦ୍ଦେଶକ ଭବାନୀ ପ୍ରସାଦ ମହାନ୍ତି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବିଜୁବାବୁଙ୍କର ୫ଟି ତୈଳଚିତ୍ର ପ୍ରଦାନ କରିଛନ୍ତି। ଏହି ଚିତ୍ରଗୁଡ଼ିକ ଓଡ଼ିଶା ବିଧାନସଭା ପାଇଁ ନୂତନ ଆକର୍ଷଣ ହୋଇପାରିବ। ଆଗାମୀ ଦିନରେ ଏହାକୁ ବିଧାନସଭା ପରିସରରେ ପ୍ରଦର୍ଶନ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

୨୦୧୬ ମସିହାରେ ବିଜୁବାବୁଙ୍କ ଜନ୍ମଶତବାର୍ଷିକୀ ଅବସରରେ ଏହି ଜନନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଂସ୍ଥା ପକ୍ଷରୁ ଏକ ବିଶେଷ ମିଡିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେତେବେଳେ ‘ବିଜୁ ପଟ୍ଟନାୟକ ଡଟ୍ ଓଆରଜି’ ନାଁରେ ଏକ ଓ୍ଵେବସାଇଟ୍ ସହିତ ତାଙ୍କ ଦୀର୍ଘ କର୍ମମୟ ଜୀବନକୁ ଆଧାରକରି ଏକ ଦ୍ୱିଭାଷୀ ପୁସ୍ତକ ପ୍ରକାଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜୁବାବୁଙ୍କ ଜୀବନର ବିଭିନ୍ନ ଦିଗକୁ ନେଇ କେତୋଟି ତୈଳଚିତ୍ର ପ୍ରସ୍ତୁତ କରାଯାଇଥିଲା। ବିଜୁବାବୁଙ୍କ ଏହି ତୈଳଚିତ୍ରଗୁଡ଼ିକୁ ସ୍ୱତନ୍ତ୍ର ଭାବେ ବିଧାନସଭାରେ ପ୍ରଦର୍ଶନ ପାଇଁ ବାଚସ୍ପତି ଗ୍ରହଣ କରିଥିବାରୁ ସଂସ୍ଥାର ସିଇଓ ନୀଳମ୍ବର ରଥ ଧନ୍ୟବାଦ ଜଣାଇଛନ୍ତି।

Spread the love