ତଥ୍ୟ ସୁଧାରିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ : ଆଉ ୩୩ ଜଣଙ୍କୁ ମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର,୧୭/୨୧: ମଙ୍ଗଳବାର  ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ବିକ୍ରମ କେଶରୀ ଆରୁଖ ମନ୍ତ୍ରୀପାହ୍ୟା ପ୍ରଦାନ ନେଇ ଯେଉଁ ତଥ୍ୟ ଦେଇଥିଲେ ତାହାକୁ ଆଜି ସଂଶୋଧନ କରିଛନ୍ତି। ମନ୍ତ୍ରିମଣ୍ଡଳରେ ମନ୍ତ୍ରୀମାନଙ୍କ ବ୍ୟତୀତ ଅନ୍ୟ କାହାକୁ ମନ୍ତ୍ରୀପାହ୍ୟା ପ୍ରଦାନ କରାଯାଇଛି ବୋଲି ହୋଇଥିବା ପ୍ରଶ୍ନର ଉତ୍ତରରେ  ମନ୍ତ୍ରୀ ଯେଉଁ  ତଥ୍ୟ ଦେଇଥିଲେ ତାହାକୁ ଆଜି  ସଂଶୋଧନ କରିଛନ୍ତି। ମଙ୍ଗଳବାର ତଥ୍ୟ ଦେବାବେଳେ ମନ୍ତ୍ରୀ କେତେକ ବିଭାଗର ତଥ୍ୟ ଛାଡ଼ି ଯାଇଥିବା ଆଜି ସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର  ମନ୍ତ୍ରିମଣ୍ଡଳ ବ୍ୟତୀତ ଆଉ ୩୩ ଜଣଙ୍କୁ ମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ଦିଆଯାଇଥିବା ବେଳେ ୨୬ ଜଣଙ୍କୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ପଦ ଏବଂ ଜଣଙ୍କୁ ଉପମନ୍ତ୍ରୀ ପଦ ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଜ୍ଞତା ଓ ପାରଦର୍ଶିତାକୁ ଆଧାର କରି ସରକାର ସ୍ୱତନ୍ତ୍ର ଭାବରେ ଏହି ନିଯୁକ୍ତି ପ୍ରଦାନ କରିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ପଷ୍ଟ କରିଛନ୍ତି । ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଆରୁଖ ଏହା କହିଛନ୍ତି। ମଙ୍ଗଳବାର ମନ୍ତ୍ରିମଣ୍ଡଳ ବ୍ୟତୀତ ୨୭ ଜଣଙ୍କୁ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି ବୋଲି ତଥ୍ୟ ରଖିଥିଲେ। ଏହି ତାଲିକାରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ, ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ କୁମାର ସାହୁ, ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ଭାବେ ସୁସ୍ମିତା ବାଗ୍ ଚି,  କ୍ରୀଡ଼ା ଓ ଯୁବକଲ୍ୟାଣ ବିଭାଗର ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବିଜୟ କୁମାର ନାୟକ ଏବେ ରାଜ୍ୟ ଯୁବକଲ୍ୟାଣ ବୋର୍ଡ଼ର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବାବେଳେ ଦିଲ୍ଲିୀପ ତିର୍କୀଙ୍କ ନାଁ ଉତ୍ତରରେ ନଥିଲା। ତେବେ ଆଜି ଦିଆଯାଇଥିବା ସଂଶୋଧିତ ତାଲିକାରେ ଏମାନଙ୍କ ନାଁ ସ୍ଥାନ ପାଇଛି।  ଗତକାଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ ମୂଳ ପ୍ରଶ୍ନର ଉତ୍ତର ଦେଇ ଆଉ ୨୭ଜଣଙ୍କ ନାଁ ଉଲ୍ଲେଖ କରିଥିଲେ। ସେମାନଙ୍କ ଭିତରେ ୨୦ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ହୋଇଥିବା ବେଳେ ୬ ଜଣ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଦାୟିତ୍ବ ତୁଲାଉଥିବା ସେ କହିଥିଲେ।

ଏହି ବିବୃତ୍ତି ଅନୁସାରେ କ୍ୟାବିନେଟ୍ ପାହ୍ୟା ପାଇଥିବା ୬ଜଣ ହେଉଛନ୍ତି, ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଦକ୍ଷତା ବିକାଶ ପ୍ରାଧୀକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍ ଚି , ଓଡ଼ିଶା କୋଠା ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ସ୍ବାସ୍ଥ୍ୟ ବିଭାଗ ଉପଦେଷ୍ଟା ଡ. କେ ଶ୍ରୀନାଥ। ଶସକ ଦଳ ଉପ ସଚେତକ ରୋହିତ ପୂଜାରୀଙ୍କୁ ଉପମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଥିବା ସେ କହିଛନ୍ତି।

Spread the love