ଥାର୍ଡପାର୍ଟି ମୋଟର ବୀମା ପ୍ରିମିୟମ ବୃଦ୍ଧି ଲାଗି ସରକାରଙ୍କ ପ୍ରସ୍ତାବ, ଜାଣନ୍ତୁ ବଢ଼ିବ କେତେ ?

ନୂଆଦିଲ୍ଲୀ ୫।୩: କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟ ବିଭିନ୍ନ ବାହନର ତୃତୀୟ ପକ୍ଷ (ଥାର୍ଡ ପାର୍ଟି) ବୀମା ଦର ବୃଦ୍ଧି ଲାଗି ପ୍ରସ୍ତାବ ରଖିଛନ୍ତି। ଏଣୁ ଏପ୍ରିଲ ୧ ତାରିଖରୁ କାର ଓ ଦୁଇଚକିଆ ବାହନ ବୀମା ବାବଦ ବ୍ୟୟ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି। ପ୍ରସ୍ତାବର ସଂଶୋଧିତ ଦର ଅନୁସାରେ ଏପର୍ଯ୍ୟନ୍ତ ଘରୋଇ କାର ଯେଉଁମାନେ ୨ହଜାର ୭୨ ଟଙ୍କାରେ ତୃତୀୟପକ୍ଷ ବୀମା କରାଇ ପାରୁଥିଲେ ଏବେ ତାହା ୨ହଜାର ୯୪ ଟଙ୍କା ପଡିବ।

ସେହିପରି ୧ହଜାର ସିସିରୁ ୧୫ଶହ ସିସିର କାରଲାଗି ଏପର୍ଯ୍ୟନ୍ତ ପୈଠ କରାଯାଉଥିବା ୩ହଜାର ୨୨୧ ଟଙ୍କା ବଦଳେ ୩ ହଜାର ୪୧୬ ଟଙ୍କା ପୈଠ କରିବାକୁ ହେବ। ସେହିପରି ୧୫ଶହ ସିସିରୁ ଉପରକୁ ବାହନର ତୃତୀୟ ପକ୍ଷ ବୀମା ଲାଗି ଏପର୍ଯ୍ୟନ୍ତ ଥିବା ୭ ହଜାର ୮୯୦ ଟଙ୍କା ବଦଳେ ୭ ହଜାର ୮୯୭ ଟଙ୍କା ପୈଠ କରିବାକୁ ହେବ। ସେହିପରି ୧୫୦ ସିସିରୁ ଅଧିକ ତେବେ ୩୫୦ ସିସିରୁ କମ ଦୁଇ ଚକିଆ ବାହନ ଲାଗି ଏବେ ବାର୍ଷିକ ବୀମା ପ୍ରିମିୟମ୧ ହଜାର ୩୬୬ ଟଙ୍କା ପୈଠ କରିବାକୁ ହେବ।

୩୫୦ସିସିରୁ ଅଧିକ ଦୁଇଚକିଆ ବାହନ ଲାଗି ଏବେ ୨ ହଜାର ୮୦୪ ଟଙ୍କା ପୈଠ କରିବାକୁ ହେବ। ଏହି ସଂଶୋଧିତ ବୀମା ପ୍ରିମିୟମ ୧ ଏପ୍ରିଲ ୨୦୨୨ରୁ ଲାଗୁ ହେବ। କୋରନା ଭାଇରସ ମହାମାରୀ ଲାଗି ବୀମା ପ୍ରିମିୟମ ବୃଦ୍ଧି ପ୍ରସ୍ତାବ ୨ ବର୍ଷ ଅଟକାଇ ଦିଆଯାଇଥିଲା। ତେବେ ଏହା ପୂର୍ବରୁ ବୀମା ନିୟାମକ ଆଇଆରଡିଏ ଅଧିସୂଚନା ଜାରି କରିଥିଲେ।    

Spread the love