ଆଝାରଙ୍କଠୁ ନେଇ କୋହଲିଙ୍କ ପର୍ଯ୍ୟନ୍ତ, ଭାରତ ଜିତି ପାରିଲାନି ଟେଷ୍ଟ ସିରିଜ୍

କେପଟାଉନ ୧୪।୦୧: ଭାରତୀୟ ଦଳର ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିବାର ସ୍ଵପ୍ନ ଚୂରମାର ହୋଇ ଯାଇଛି। କେପଟାଉନ୍‌ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଭାରତ ୭ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି। ଭାରତ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଘରୋଇ ଦଳ ମାତ୍ର ୩ ଓ୍ଵିକେଟ୍ ହରାଇ ଅନାୟସରେ  ବିଜୟୀ ହୋଇଛି। ଏଥିସହ  ଭାରତ ଘରୋଇ ଦଳ ହାତରୁ ଟେଷ୍ଟ ସିରିଜ୍‌ରେ ୧-୨ରେ ପରାସ୍ତ ହୋଇଛି।

ଭାରତୀୟ ଦଳ ଅଷ୍ଟମ ଥର ଟେଷ୍ଟ ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ମାତ୍ର ଗୋଟିଏ ହେଲେ ଟେଷ୍ଟ ସିରିଜ୍ ଜିତି ନାହିଁ। ଏହି ସମୟରେ ସାତ ଭାରତୀୟ ଅଧିନାୟକ ଦଳର ନେତୃତ୍ଵ ନେଇଛନ୍ତି। ତେବେ ଭାରତ ଗୋଟିଏ ହେଲେ ସିରିଜ୍ ଜିତି ନାହିଁ। ଭାରତର ସବୁଠୁ ଭଲ ପ୍ରଦର୍ଶନ ୨୦୧୦-୧୧ ଗସ୍ତରେ ରହିଥିଲା। ସେହି ସମୟରେ ଧୋନୀଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ସିରିଜ୍ ୧-୧ରେ ଡ୍ର କରାଇଥିଲା।

୧୯୯୨-୯୩ରେ ମହମ୍ମଦ ଆଝାରୁଦ୍ଦୀନଙ୍କ ନେତୃତ୍ଵରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ଏହି ଗସ୍ତରେ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୦-୧ରେ ପରାସ୍ତ ହୋଇଥିଲା।

୧୯୯୬-୯୭ରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ଵରେ  ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ  ଭାରତ ଘରୋଇ ଦଳଠୁ ୦-୨ରେ ସିରିଜ୍ ହାରିଥିଲା।

୨୦୦୧-୦୨ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ଵରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ୦-୨ରେ ପରାଜିତ ହୋଇଥିଲା।

ଏହା ପରେ ୨୦୦୬-୦୭ରେ ରାହୁଲ ଦ୍ରାବିଡଙ୍କ ନେତୃତ୍ଵରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୨ରେ ହାରିଥିଲା।

୨୦୧୦-୧୧ରେ ଭାରତୀୟ ଦଳ ଏମଏସ ଧୋନୀଙ୍କ ନେତୃତ୍ଵରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ଭାରତ ଦମଦାର ପ୍ରଦର୍ଶନ କରି ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୧-୧ରେ ଡ୍ର କରାଇଥିଲା।

୨୦୧୩-୧୪ରେ ଭାରତ ପୁଣି ଥରେ ଧୋନୀଙ୍କ ନେତୃତ୍ଵରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ଏଥର ଧୋନୀ ବାହିନୀଙ୍କୁ ୦-୧ରେ ପରାଜୟର ମୁହଁ ଦେଖିବାକୁ ପଡିଥିଲା।

୨୦୧୭-୧୮ରେ ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ତେବେ ଦଳ ୧-୨ରେ ସିରିଜ୍‌ ହାରିଥିଲା।

Spread the love