୭୭ବର୍ଷରେ ନବୀନ: ଜନ୍ମଦିନ ପାଳିବେନି

ଭୁବନେଶ୍ବର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୭ବର୍ଷରେ ପଦାର୍ପଣ କରିବେ। ଏଥର କିନ୍ତୁ ନବୀନ ଜନ୍ମଦିନ ପାଳିବେନି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜଣାଇଛି। କାରଣରେ କୁହାଯାଇଛି ଯେ ଗତ ମାସ ମୁଖ୍ୟମନ୍ତ୍ରୀଙ୍କ ବଡ଼ଭଉଣୀ ଗୀତା ମେହେଟାଙ୍କ ବିୟୋଗ ଘଟିଛି। ଏଣୁ ଶୁଭେଚ୍ଛୁମାନେ ନବୀନ ନିବାସ ନଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ନବୀନଙ୍କ ଜନ୍ମଦିନ ଉପଲକ୍ଷେ ବିଜେଡିର ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀସ୍ତରରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବାକୁ ଯୋଜନା କରିଛନ୍ତି। ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ଦଳୀୟ ନେତାମାନଙ୍କୁ କୁହାଯାଇଥିବା ଜଣାପଡ଼ିଛି। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ପୁଅ ଭାବେ ରାଜନୀତିରେ ପା‌ଦ ଦେବା ଦିନଠାରୁ ସବୁ କ୍ଷେତ୍ରରେ ସଫଳତା ସାଉଁଟି ଚାଲିଛନ୍ତି ନବୀନ। ୨୦୦୦ ମସିହା ପର୍ଯ୍ୟନ୍ତ ଜାତୀୟ ରାଜନୀତିରେ ବେଶ୍ ସକ୍ରିୟ ଥିଲେ। ଆଉ ଏହା ପରଠାରୁ ଲଗାତାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ଓଡ଼ିଶାର ଅନ୍ୟ କୌଣସି ରାଜନେତାଙ୍କ ଭାଗ୍ୟରେ ଏହା ଜୁଟିନାହିଁ। କେବଳ ସେତିକି ନୁହେଁ, ଏହି ସମୟ ମଧ୍ୟରେ ଓଡ଼ିଶାରେ ଯେଉଁ କିଛି ଉଲ୍ଲେଖନୀୟ କଥା ଘଟିଛି ତାହା ମଧ୍ୟରେ ଅନାହାରରୁ ମୁକ୍ତି ଗୋଟିଏ ବଡ଼ ​ଉପଲବ୍ଧି। ଏହି କଳଙ୍କର ଟିପାକୁ ନବୀନ ସରକାର ପୋଛିବାରେ ସକ୍ଷମ ହୋଇଛନ୍ତି। ଏହା ସହିତ ଓଡ଼ିଶା ଏବେ ଖାଦ୍ୟ ଉତ୍ପାଦନରେ ଗୋଟିଏ ବଳକା ରାଜ୍ୟ ଭାବେ ସାମ୍ନାକୁ ଆସିଛି।

କେବଳ ସେତିକି ନୁହେଁ, ୧୯୯୯ ମହାବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ କ୍ଷମତାକୁ ଆସିଥିବା ନବୀନ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ଆଣି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ଗୌବବ ବଢ଼ାଇଛନ୍ତି। ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ସଶକ୍ତ ହେବା, ଓଡ଼ିଶାକୁ ବିଶ୍ବ କ୍ରୀଡ଼ା ହବ୍‌ରେ ପରିଣତ କରିବାର ଶ୍ରେୟ ତାଙ୍କ ମୁଣ୍ଡକୁ ଯିବ। ଏହାବ୍ୟତୀତ ଦେଶର ପିଡିଏସ୍‌ ବ୍ୟବସ୍ଥାରେ ଓଡ଼ିଶାକୁ ତୃତୀୟ ବୃହତ୍ତମ ଯୋଗଦାନକାରୀ ଭାବେ ପ୍ରସ୍ତୁତ କରିଛନ୍ତି। ରାଜ୍ୟବାସୀଙ୍କ ପାଇଁ ଗୃହ ସୁରକ୍ଷା ନିଶ୍ଚିତ କରିବା, ମିସନ୍ ଶକ୍ତି ମାଧ୍ୟମରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ, କାଳିଆ ଯୋଜନା ମାଧ୍ୟମରେ କୃଷକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟକୁ ଦୁଇଗୁଣ ବଢ଼ାଇବା, ଓଡ଼ିଶାକୁ ୫-ଟି ଏବଂ ମୋ ସରକାର ମାଧ୍ୟମରେ ରୂପାନ୍ତରଣ କରିବା, ଦେଶର ଏକ ନମ୍ବର ରାଜ୍ୟ ଭାବେ ଜଙ୍ଗଲ ଅଧିକାର ଆଇନ୍ ଅଧୀନରେ ଆଦିବାସୀମାନଙ୍କୁ ଜମି ଅଧିକାର ପ୍ରଦାନ, ୫ଲକ୍ଷରୁ ଅଧିକ ଆଦିବାସୀ ବାଳିକାଙ୍କୁ ସଶକ୍ତ କରିବା ପାଇଁ ଆଦିବାସୀ ହଷ୍ଟେଲର ବ୍ୟବସ୍ଥା, ବିଜୁ ପକ୍କାଘର ଯୋଜନାରେ ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇବା, ଦେଶରେ ପ୍ରଥମ ଥର ପାଇଁ ସହରାଞ୍ଚଳର ବାସହରାଙ୍କୁ ଜାଗା ମିସନ୍‌ ଜରିଆରେ ଜମି ଅଧିକାର ପ୍ରଦାନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ଚିକିତ୍ସା ଯୋଗାଇବା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାରେ ସହରାଞ୍ଚଳରେ ପ୍ରତି ଘରକୁ ବିଶୁଦ୍ଧ ପାଣି ଯୋଗାଇବା ଆଦି କ୍ଷେତ୍ରରେ ତାଙ୍କ ସରକାର ସଫଳ। ସେହିଭଳି ଗୋଟିଏ ଆଞ୍ଚଳିକ ଦଳ ହିସାବରେ ଏତେ ବର୍ଷ କ୍ଷମତା ରାଜନୀତିରେ ତିଷ୍ଠି ରହିବାରେ ତାଙ୍କ ଦଳ ବିଜେଡି ପ୍ରଥମ। ଏହାବ୍ୟତୀତ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ନେବାରେ ସେ ଆଗରେ। ଆଇନ ପାରିତ ହେବା ପୂର୍ବରୁ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବାରେ ବି ସେ ଆଗୁଆ।

………..
୧୨ବର୍ଷରେ ମାତ୍ର ତିନି ଥର ଜନ୍ମ ଦିନ ପାଳିଛନ୍ତି
ଅକ୍ଟୋବର ୧୬, ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିବା ନବୀନ ପଟ୍ଟନାୟକ ଦୀର୍ଘ ୨୩ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ନେତା, ମନ୍ତ୍ରୀଙ୍କ ଜନ୍ମଦିନ ପାଳନର ତରିକା ଯେବେ ଉଲ୍ଲେଖନୀୟ ଢଙ୍ଗରେ ପାଳନ ହେଉଥିବାର ଅନେକ ନଜିର ରହିଛି, ସେ ସମୟରେ ନିଜର ନିରାଡମ୍ବର ଜୀବନଶୈଳୀ ପାଇଁ ବେଶ୍ ପରିଚିତ ଥିବା ନବୀନ ଗତ ୧୨ବର୍ଷରେ ମାତ୍ର ତିନି ଥର ତାଙ୍କର ଜନ୍ମଦିନ ପାଳନ କରିଥିବା ଜଣାପଡ଼ିଛି। ୨୦୧୨, ୨୦୧୫ ଓ ୨୦୧୭ରେ ନବୀନ ନିଜ ସମର୍ଥକଙ୍କ ଗହଣରେ ଜନ୍ମଦିନ ପାଳିଛନ୍ତି। ୨୦୧୭ ମସିହାରେ ଶେଷଥର ପାଇଁ ନବୀନ ନିବାସ ପରିସରରେ ନିଜର ଦଳୀୟ କର୍ମୀ ଓ ନେତାଙ୍କ ଗହଣରେ ନବୀନ ଜନ୍ମଦିନ ପାଳନ କରିଥିଲେ। ଏହାପରଠାରୁ ସେ ସର୍ବସାଧାରଣରେ ଜନ୍ମଦିନ ପାଳନ କରିନାହାନ୍ତି। ୨୦୧୮ ମସିହାରେ ବାତ୍ୟା ତିତ୍‌ଲି, ୨୦୧୯ ମସିହାରେ ବାତ୍ୟା ‘ଫନି’,୨୦୨୦ ଓ ୨୦୨୧ରେ କୋଭିଡ୍ ମହାମାରୀ ଏବଂ ୨୦୨୨ରେ ହାଇଦ୍ରାବାଦରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବାରୁ ଶୁଭେଚ୍ଛୁମାନେ ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇପାରିନଥିଲେ। ସେହିପରି ୨୦୧୧ରେ ରାଜ୍ୟରେ ହୋଇଥିବା ବନ୍ୟା, ୨୦୧୩ରେ ବାତ୍ୟା ଫାଇଲିନ୍, ୨୦୧୪ରେ ବାତ୍ୟା ହୁଡହୁଡ, ୨୦୧୬ରେ ଉରିରେ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ପାଇଁ ନବୀନ ତାଙ୍କ ଜନ୍ମଦିନ ପାଳନ କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ବାତିଲ୍ କରିଥିଲେ।

Spread the love