ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ ବିଶାଖାପଟନମ, ଖଞ୍ଜା ହୋଇଛି ୩୨ ବାରାକ୍ ମିସାଇଲ୍

ବିଶାଖାପାଟଣା ୨୧।୧୧: ଭାରତୀୟ ନୌସେନାରେ ସାମିଲ ହେଲା  ଆଇଏନଏସ  ବିଶାଖାପଟନମ୍। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ମୁମ୍ବାଇ ଡକ୍ ୟାଡରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ ଆଡମିରାଲ୍ କରମବୀର ସିଂ ମଧ୍ୟ ଉପସ୍ଥିତ ଥିଲେ । ଆଇଏନଏସ  ବିଶାଖାରାଟନମ୍ ନୌସେନାରେ ସାମିଲ ହେବା ପରେ  ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିଛି।

ସମୁଦ୍ରକୁ ଓହ୍ଲାଇଲା ଦେଶର ନୂଆ ରକ୍ଷକ । ହିନ୍ଦ ଓ ପ୍ରଶାନ୍ତ ମହାସାଗରରେ ବଢ଼ିବ ଭାରତର ଶକ୍ତି । ଆଜି ନୌସେନାରେ ସାମିଲ ହୋଇଛି ଆଇଏନଏସ୍ ବିଶାଖାପଟନମ୍ । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ୍ ବିଶାଖାପଟ୍ଟନମକୁ ନୌସେନାରେ ସାମିଲ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବାୟୁସେନାର ଆକ୍ରମଣରୁ ବର୍ତ୍ତିବା ପାଇଁ ଏଥିରେ ୩୨ ବାରାକ୍ ମିସାଇଲ୍ ଖଞ୍ଜା ହୋଇଛି । ସମୁଦ୍ରତଟରେ ସମ୍ମୁଖରୁ ଆସୁଥିବା ସମସ୍ତ ଶତ୍ରୁକୁ ଧ୍ବଂସ କରିବାର କ୍ଷମତା ରଖିଛି ଆଇଏନଏସ୍ ବିଶାଖାପଟନମ ।

ଏହାର ଓଜନ ୭ ହଜାର ୪୦୦ ଟନ୍ ହୋଇଥିବାବେଳେ ଲମ୍ବ ହେଉଛି ୧୬୩ ମିଟର ଓ ଚଉଡା ୧୭ ମିଟର । ନୌସେନାରେ ଆଇଏନଏସ୍ ବିଶାଖାପଟନମ ସାମିଲ ହେବା ପରେ ସମୁଦ୍ରରେ ଆହୁରି ଶକ୍ତିଶାଳୀ ହୋଇଛି ଭାରତ । କେବଳ ନିଜ ଆବଶ୍ୟକତା ପାଇଁ ନୁହେଁ ଭାରତ ସମଗ୍ର ବିଶ୍ବରେ ଥିବା ଦେଶମାନଙ୍କ ପାଇଁ ଆବଶ୍ୟକ ଜାହାଜ ନିର୍ମାଣ କରିପାରିବ ବୋଲି ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ସବୁଠାରୁ ଶକ୍ତିଶାଳୀ ମିଶାଇଲ୍ ବ୍ରହ୍ମସକୁ ଆଇଏନଏସ୍ ବିଶାଖପାଟଣାରୁ ଉତକ୍ଷେପଣ କରାଯାଇ ପାରିବ।  ୩୦୦ କିଲୋମିଟରର ଲକ୍ଷ୍ୟଭେଦ କ୍ଷମତା ଥିବା ୧୬ଟି  ବ୍ରୋହ୍ମସ ମିସାଇଲ ଏଥିରେ ଲଗାଯାଇ ପାରିବ।  ଆକାଶ ପଥରେ ୧୫୦ କିମି ଲକ୍ଷ୍ୟଭେଦ କ୍ଷମତା ରଖିଥିବା ୮ଟି ବାରାକ ମିସାଇଲ୍  ମଧ୍ୟ ଏଥିରେ ଖଞ୍ଜା ଯାଇ ପାରିବ। ଭୂପୃଷ୍ଠରୁ ଆକାଶ, ଆଣ୍ଟି ସବମରାଇନ୍ ରକେଟ୍ , ସଟ୍ ରେଞ୍ଜ ଗନ୍ ମଧ୍ୟ ଆଇଏନଏସ୍ ବିଶାଖାପଟନମରେ ଲାଗି ପାରିବ।

ଏହି ଯୁଦ୍ଧ ପୋତରେ ୩୧୨ ଜଣ  ନୌସେନା ଅଧିକାରୀ କାମ କରିବେ। ଯୁଦ୍ଧ ସମୟରେ ଶତ୍ରୁର ପରମାଣୁ କିମ୍ବା ରସାୟନିକ ଅସ୍ତ୍ରକୁ ମଧ୍ୟ ଏହା ପ୍ରତିହତ କରି ପାରିବାର କ୍ଷମତା ରହିଛି ଆଇଏନଏସ୍ ବିଶାଖାପାଟଣାରେ। ଏବେ ଏହି ବିଧ୍ବଂସକାରୀ ବିଶାଖାପଟନମ ଭାରତୀୟ ସେନାରେ ସାମିଲ ହେବା ପରେ ଦେଶର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଛି।

ଆଇଏନ୍‌ଏସ୍‌ ବିଶାଖାପଟନମ୍  ଫୋର୍ଥ -ଷ୍ଟିଲ୍‌ଥ୍‌ ଗାଇଡେଡ୍‌-ମିସାଇଲ୍‌ ଡେଷ୍ଟ୍ରୟର୍‌ ଜାହାଜରୁ ଗୋଟିଏ। ମାଜଗାଓଁ ଡକ୍‌ ସିପ୍ ବିଲ୍‌ଡର୍ସ ଏହି ଯୁଦ୍ଧ ଜାହାଜକୁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରିଛି । ମୁମ୍ବାଇସ୍ଥିତ ନୌସେନା ଡକ୍‌ୟାର୍ଡରେ ଆଇଏନ୍ଏସ୍‌ ବିଶାଖାପଟନମକୁ ସାମିଲ କରାଯାଇଛି।

Spread the love