ବିଶାଖାପଟ୍ଟନମ ହେବ ଆନ୍ଧ୍ର ପ୍ରଦେଶର ରାଜଧାନୀ !

ବିଶାଖାପଟ୍ଟନମ ୧୧/୦୨: ଆନ୍ଧ୍ର ପ୍ରଦେଶର ରାଜଧାନୀ ହେବ ବିଶାଖାପଟ୍ଟନମ। ଏ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଗୁଡ଼ି ପଡ଼ଓ୍ଵା ଅର୍ଥାତ ତେଲୁଗୁ ନୂତନ ବର୍ଷ ପରେ ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀରୁ ବିଶାଖାପଟ୍ଟନମ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ଜଗନ ମନସ୍ଥ କରିଛନ୍ତି। ସିଏମଏଓର ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ତିନୋଟି ରାଜଧାନୀ ବଦଳରେ ରାଜ୍ୟର ଏକମାତ୍ର ରାଜଧାନୀ ଭାବେ ବିଶାଖାପଟ୍ଟନମ ସହରକୁ ଚୟନ କରିଛନ୍ତି।

ଏହାକୁ ନେଇ ଜଗନ ତେଲୁଗୁ ଫିଲ୍ମ ଉଦ୍ୟୋଗର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାରୁ ଏହି ସଙ୍କେତ ମିଳିଛି ଯେ, ନିକଟ ଭବିଷ୍ୟତରେ କୌଣସି ସମୟରେ ମୁଖ୍ୟମନ୍ତ୍ରୀ ଜଗନ ବିଶାଖାପାଟ୍ଟନମକୁ ଆନ୍ଧ୍ର ପ୍ରଦେଶର ରାଜଧାନୀ ଭାବେ ଘୋଷଣା କରି ପାରନ୍ତି। ଏପ୍ରିଲ ୨ରେ ତେଲୁଗୁ ନର୍ବ ପରେ ମୁଖ୍ୟମନ୍ତ୍ରୀ ଏହାର ଘୋଷଣା କରିବାକୁ ଯୋଜନା କରିଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଜଗନ ଏହାର ପର୍ଯ୍ୟାପ୍ତ ସଙ୍କେତ ଦେଇସାରିଛନ୍ତି ଯେ, ବିଶାଖାପଟ୍ଟନମ ହେଉଛି ଏକ ମାତ୍ର ସହର ଯାହା ରାଜଧାନୀ ହୋଇ ପାରିବ। ବିଶାଖାପଟ୍ଟନମ ହିଁ ହାଇଦ୍ରାବାଦ ଏବଂ ଚେନ୍ନାଇ ପରି ସହର ସହିତ ପ୍ରତିଯୋଗିତା କରି ପାରିବ। କାରଣ ଫିଲ୍ମ ଉଦ୍ୟୋଗ ମଧ୍ୟ ଏହି ସହରରେ ଅବସ୍ଥିତ। ତେଣୁ ଜଗନ ରାଜଧାନୀ ଭାବେ ବିଶାଖାପଟ୍ଟନମକୁ ପ୍ରାଥମିକତା ଦେଇଛନ୍ତି। ଜଗନ କହିଛନ୍ତି, ଏହି ସହର ଆଗାମୀ ୧୦ ରୁ ୨୦ ବର୍ଷରେ ଦେଶର ଏକ ପ୍ରମୁଖ ସହରରେ ପରିଣତ ହେବ। କାରଣ ସବୁ ବର୍ଗର ଲୋକେ ସହର ଅଭିମୁଖେ ଆସୁଛନ୍ତି।

Spread the love