ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ, ପୈତୃକ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

ଭଦ୍ରକ ୨୦।୦୯ : ପଞ୍ଚଭୂତରେ ଲୀନ ହେଲା ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପାର୍ଥୀବ ଶରୀର । ଭଦ୍ରକ ତିହିଡି ସ୍ଥିତ ପୈତୃକ ଗାଁ ମଙ୍ଗରାଜପୁର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ସୂର୍ଯ୍ୟବଂଶୀ ସୂରଜ ମୁଖାଗ୍ନି ଦେଇଛନ୍ତି ।

ଖବର ଅନୁଯାୟୀ, ସୋମବାର ୬୧ ବର୍ଷରେ ଆଖି ବୁଜିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ନିରବୀ ଯାଇଛନ୍ତି ବିଷ୍ଣୁ ସେଠୀ । ଦୀର୍ଘ ଦିନ ରୋଗ ଶଯ୍ୟାରେ ରହିବା ପରେ ବିରୋଧୀଦଳ ଉପନେତା ତଥା ଧାମନଗର ବିଧାୟକଙ୍କର ଭୁବନେଶ୍ବର ଏମ୍ସରେ ଦେହାନ୍ତ ହୋଇଥିଲା। ଏମ୍ସରୁ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା । ସେଠାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣା ଯାଇଥିବା ମରଶରୀର । ଏହାପରେ ଭୁବନେଶ୍ୱରରୁ ଏକ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଭଦ୍ରକ ନିଆଯାଇଥିଲା । ଧାମନଗର ନିର୍ବାଚନ ମଣ୍ଡଳୀରେ ଶୋଭାଯାତ୍ରା ବେଳେ ବହୁ କର୍ମୀ , ରାଜ ନେତା ଓ ସମର୍ଥକ ତାଙ୍କ ଶେଷ ଦର୍ଶନ କରିଥିଲେ । ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଓ ଭଦ୍ରକ ସ୍ଥିତ ବାସଭବନକୁ ପାର୍ଥୀବ ଶରୀର ଅଣାଯାଇଥିଲା । ବରିଷ୍ଠ ବିଜେପି ନେତା ଜୁଏଲ ଓରାମ , ପ୍ରତାପ ସଢଙ୍ଗୀ ଙ୍କ ସହ ବହୁ ବିଧାୟକ ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସମସ୍ତ ରାଜନୈତିକ ଦଳର ନେତା, ଜିଲ୍ଲାପାଳ, ଏସପିଙ୍କ ସମେତ ସାହିତ୍ୟିକ ଓ ବିଶିଷ୍ଠ ବ୍ୟକ୍ତିତ୍ୱ ମାନେ ମଧ୍ୟ ଶେଷ ଦର୍ଶନ କରିଥିଲେ । ବିଷ୍ଣୁ ସେଠୀ ଅମର ରହେ ଧ୍ୱନିରେ କମ୍ପିଥିଲା ଭଦ୍ରକ । ପରେ ନିଜ ପୈତୃକ ଘର ତିହିଡି ସ୍ଥିତ ମଙ୍ଗରାଜପୁରକୁ ଶୋଭାଯାତ୍ରାରେ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀର ନିଆଯାଇଥିଲା । ମଙ୍ଗରାଜପୁର ଶ୍ମଶାନରେ ପୁଅ ସୂର୍ଯ୍ୟବଂଶୀ ସୁରଜ ବାପାଙ୍କୁ ମୁଖାଗ୍ନି ଦେଇଥିଲେ ।

Spread the love