ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ ଗିରଫ

ଭୁବନେଶ୍ୱର: ରାଜଧାନୀରେ କୋଠା ଉପରେ କୋଠା ସାଙ୍ଗକୁ ବିଳାସପୂର୍ଣ୍ଣ ଫ୍ଲାଟ୍‌, ପ୍ରମୁଖ ସ୍ଥାନରେ ପ୍ଲଟ୍‌। ବ୍ୟାଙ୍କ ଆକାଉଣ୍ଟ୍‌ରେ ବି ପୁଳାପୁଳା ଟଙ୍କା, ବିପୁଳ ପରିମାଣର ସୁନାଗହଣା। ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ସଂପତ୍ତି ଦେଖି ଭିଜିଲାନ୍ସର ଆଖି ଖୋସି ହୋଇଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୬ଟି ଟିମ୍‌ ଗତକାଲି ରାଜଧାନୀର ସରକାରୀ କାର୍ଯ୍ୟାଳୟ ସମେତ ଭଦ୍ରକସ୍ଥିତ ପୈତୃକ ଘର ଆଦି ୬ଟି ସ୍ଥାନରେ ଚଢ଼ଉ କରି ବହୁ ପରିମାଣର ସଂପତ୍ତି ଠାବ କରିଥିଲା | ଆଜି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ବବନ୍ଧୁଙ୍କୁ ଗିରଫ କରାଯାଇଛି |
ଚଢ଼ାଉ ବେଳେ ଭୁବନେଶ୍ୱର ଭିଏସ୍‌ଏସ୍‌ନଗରସ୍ଥିତ ଦୁଇମହଲା ଆବାସିକ କୋଠା,‌ ରୁଦ୍ରପୁରସ୍ଥିତ ଆସୋଟେକ୍‌ ପ୍ରାଇଡ୍‌ରେ ବିଳାସପୂର୍ଣ୍ଣ ୩ ବିଏଚ୍‌କେ ଫ୍ଲାଟ୍‌, ଭଦ୍ରକ ମଠସାହିରେ ଏକ ମହଲା କୋଠା ଓ ତୋରାନପଡ଼ାସ୍ଥିତ ପୈତୃକ ଘର ଆଦି ସଂପତ୍ତି ଛାନଭିନ୍ ବେଳେ ଠାବ କରାଯାଇଥିଲା । ସେହିପରି ରାଜଧାନୀ ଓ ଭଦ୍ରକର ପ୍ରମୁଖ ଅଂଚଳରେ ୬ଟି ପ୍ଲଟ୍‌ ମଧ୍ୟ ଠାବ କରାଯାଇଥିଲା । ଘରୁ ନଗଦ ୩ଲକ୍ଷ ୧୮ ହଜାର ଟଙ୍କା, ୪୨୧ ଗ୍ରାମ ସୁନାଗହଣା ମିଳିଥିବା ବେଳେ ସେଥିରୁ ୨୬୯ଗ୍ରାମ ଲକରରୁ ମିଳିଥିଲା । ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆୟଠାରୁ ୩୩୮ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି |

Spread the love