ଧାମନଗରରେ ବୈତରଣୀ ବନ୍ୟାର ସମାଧାନ ପାଇଁ ବିଜେପି ପ୍ରତିଶୃତିବଦ୍ଧ : ବିଶେଶ୍ୱର ଟୁଡୁ

ଧାମନଗର/ଭୁବନେଶ୍ୱର, ତା.୩୦/୧୦ : ଗତକାଲି ଏବଂ ଆଜି ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତ, ବିଶେଷ ଭାବରେ ବୈତରଣୀ ନଦୀର ବନ୍ୟାରେ ପ୍ରତିବର୍ଷ ପ୍ରଭାବିତ ହେଉଥିବା ଅଂଚଳମାନଙ୍କରେ ବିଜେପି ପାଇଁ ପ୍ରଚାର କରିଥିଲେ କେନ୍ଦ୍ରୀୟ ଜଳସମ୍ପଦ ମନ୍ତ୍ରୀ ବିଶେଶ୍ୱର ଟୁଡୁ । ଶ୍ରୀ ଟୁଡୁଙ୍କ ପ୍ରଚାର ସମୟରେ ଧାମନଗରର ସ୍ଥାନୀୟ ଜନତା ସେମାନଙ୍କର ଦୁଃଖ ଜଣାଇଥିଲେ । ବୈତରଣୀର ନଦୀ ବନ୍ଧରେ ଯାଜପୁର ପଟକୁ ସୃଦୃଢ କରାଯାଇ ଭଦ୍ରକ ପଟରେ ଯୋଜନାକୃତ ଭାବରେ ଘାଇ କରାଯାଇଥିବାରୁ ପ୍ରତି ବର୍ଷ ଭଦ୍ରକ ଜିଲ୍ଲାର ଲୋକେ ବନ୍ୟାରେ ପ୍ରଭାବିତ ହେଉଥିବା କଥା ଧାମନଗର ବାସୀ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଜଣାଇଥିଲେ ।
କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରଚାର ସମୟରେ ଏହି ପ୍ରସଙ୍ଗରେ କହିଥିଲେ ଯେ, ଜଳସମ୍ପଦ ମନ୍ତ୍ରୀ ଭାବରେ ବୈତରଣୀ ନଦୀରେ ଆସୁଥିବା ବନ୍ୟାର ସମାଧାନ ପାଇଁ ସେ ସଙ୍କଳ୍ପବଦ୍ଧ । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ସହଯୋଗରେ ଏହି ବନ୍ୟାର ସମାଧାନ କରାଯାଇ ଧାମନଗରବାସୀଙ୍କୁ ଏହି ବିପତିରୁ ରକ୍ଷା କରାଯିବ । ସ୍ଥାନୀୟ ଲୋକ ଦେଇଥିବା ଦାବିପତ୍ର ଆଧାରରେ କେନ୍ଦ୍ର ସରକାର ବନ୍ୟାର ସମାଧାନ ପାଇଁ ରାସ୍ତା କାଢିବେ ।
କେନ୍ଦ୍ରୀୟ ଜଳସମ୍ପଦ ମନ୍ତ୍ରଣାଳୟର ଏକ ଅଭିଜ୍ଞ ଟିମ ଖୁବଶୀଘ୍ର ଧାମନଗର ଆସିବେ । ସେମାନେ ନିରିକ୍ଷଣ କରିବା ପରେ ବନ୍ୟାର ସମାଧାନ କରିବା ପାଇଁ ଯାହା ଦରକାର ପଡେ ତାହା କେନ୍ଦ୍ର ସରକାର କରିବେ । ଯଦି ଏହି ପ୍ରକଳ୍ପ ପାଇଁ ଅର୍ଥ ଦରକାର ପଡେ ତାହେଲେ ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ମଧ୍ୟ କରିବେ ବୋଲି ଶ୍ରୀ ଟୁଡୁ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆଜି ନିର୍ବାଚନମଣ୍ଡଳୀର ଧୁଷୁରୀଠାରେ ୯୪ତମ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ପରେ ଅର୍ଜୁନପୁର, ହସାନାବାଦ, ନଦିଗାଁ ପଂଚାୟତର ବିଭିନ୍ନ ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ସପକ୍ଷରେ ପ୍ରଚାର କରିଥିଲେ । ଏହି ଅବସରରେ ଲାଲା ମନୋଜ ରାୟ, ପବିତ୍ର ଦାଶ, ରାଜେନ୍ଦ୍ର ପଣ୍ଡା, ଅନ୍ତଯ୍ୟାମୀ ପତି ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

(ବିଜେପି ମିଡିଆ ସେଲ୍‌)

 

Spread the love