ଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ଅଜ୍ଞ: ବିଜେଡି

ଭୁବନେଶ୍ୱର : ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ୍ କରିବା ପରେ ବିଜେଡି କଡ଼ା ଜବାବ ରଖିଛି। ଅଡିଟ ଆକାଉଣ୍ଟ ଓ ଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କର ସାମାନ୍ୟତମ ଜ୍ଞାନ ନାହିଁ। ସେ ଆଜି ଗଣମାଧ୍ୟମରେ ରଖିଥିବା ବକ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି। ଲେଖାଶ୍ରୀଙ୍କ ବକ୍ତବ୍ୟର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଏଜିଙ୍କ କାର୍ଯ୍ୟଧାରା ଉପରେ ବିଜେପି ନେତ୍ରୀଙ୍କର ଧ୍ୟାନ ଧାରଣା ଥିବ ବୋଲି ଯାହା ଆଶା କରାଯାଉଥିଲା ତାହା ଆଜି ଭୁଲ୍‍ ପ୍ରମାଣିତ ହୋଇଛି। ସିଏଜି ରିପୋର୍ଟ ଆଳରେ ସେ ଆଜି ପୁଣିଥରେ ମିଥ୍ୟା, ଭିତ୍ତିହୀନ ଓ କପୋଳକଳ୍ପିତ ଆରୋପ ରଖିଛନ୍ତି। କେବେ ପ୍ରଶାସକ ତ କେବେ ନେତାମାନଙ୍କ ଉପରେ ମନଗଢା ଆରୋପ ଲଗାଉଛନ୍ତି। ଏଭଳି ବକ୍ତବ୍ୟ ପଛରେ ବୋଧେ ତାଙ୍କର ପିପିଲି ଟିକେଟ୍ ନପାଇବା କାରଣ ରହିଛି। ପିପିଲି ବିଧାନସଭା ଟିକ୍ଟେରୁ ବଞ୍ଚିତ ହେବା ସହିତ ଦିନକୁ ଦିନ ଦଳରେ ଅପ୍ରାସଙ୍ଗିକ ହୋଇପଡିବାରୁ ସେ ଏଭଳି ବକ୍ତବ୍ୟମାନ ରଖୁଛନ୍ତି। ଗଣମାଧ୍ୟମରେ ନିଜର ଉପସ୍ଥିତି ଜାହିର ପାଇଁ ବିଜେପି ନେତ୍ରୀ ଯେଉଁଭଳି ଭାବେ ମିଥ୍ୟା ଓ ମନଗଢ଼ା ଆରୋପ ଲଗାଉଛନ୍ତି ସେ ସଂକ୍ରାନ୍ତରେ ଓଡିଶାବାସୀ ବେଶ୍‍ ଭଲଭାବେ ଅବଗତ ଅଛନ୍ତି ବୋଲି ସୁଶ୍ରୀ ସାହୁ କହିଛନ୍ତି।

Spread the love