ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗରରେ ପୁଣି ଶଙ୍ଖନାଦ, ପୌରାଧ୍ୟକ୍ଷ ପଦ ପୋଛିନେଲା ବିଜେଡି

ଭୁବନେଶ୍ୱର, ୨୬/୦୩: ତିନି ମହାନଗର ନିଗମରେ ବାଜିମାତ କଲା ବିଜେଡି । ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗରରେ ପୁଣି ଶଙ୍ଖନାଦ ।  ଭୁବନେଶ୍ବର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ, କଟକରେ ବିଜେଡି ମେୟର ପ୍ରାର୍ଥୀ ସୁବାଷ ସିଂହ, ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ତେବେ ଭୁବନେଶ୍ବର ଓ ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀଙ୍କୁ ବିଜେପି ପ୍ରାର୍ଥୀ କଡ଼ା ଟକ୍କର ଦେଇଥିବା ବେଳେ କଟକରେ ବିଜେଡିକୁ ଟକ୍କର ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ।

ଭୁବନେଶ୍ବର, କଟକ ଓ ବ୍ରହ୍ମପୁର । ତିନିକୁ ତିନି ବିଜେଡି ମେୟର । ତିନିଟି ଯାକ ମହାନଗରରେ ମେୟର ପଦବୀ ବିଜୁ ଜନତା ଦଳ ହାତକୁ ଯାଇଛି । ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୬୧ ହଜାର ୧୪୩ ଭୋଟ୍‌ରେ ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ଙ୍କୁ ପରାସ୍ତ କରିଛନ୍ତି । ସେହିଭଳି ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ପ୍ରାୟ ୨୦ହଜାର ଭୋଟରେ ହରାଇଛନ୍ତି । କଟକରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ବିଜୟୀ ହୋଇଥିବା  ବେଳେ ତାଙ୍କୁ କଡ଼ା ଟକ୍କର ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ।

ତେବେ ଭୁବନେଶ୍ବର ମହାନଗର ନିଗମରେ କିଛି ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀ ଖେଳ ବିଗାଡି ଥିବା ଦେଖିବାକୁ ମିଳିଛି । ପ୍ରାୟ ୧୦ଟି ଓାର୍ଡରେ ବିଜେଡିର ଦଳୀୟ  ପ୍ରାର୍ଥୀଙ୍କ ସହ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କର ଟକ୍କର ହୋଇଛି । ଭୁବନେଶ୍ବର ମେୟର ପ୍ରାର୍ଥୀ ଭାବେ ସୁଲୋଚନା ଦାସ ଜିତିଥିଲେ ହେଁ, ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ଲକ୍ଷାଧିକ ଭୋଟ ପାଇବା ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ସେହିଭଳି ବ୍ରହ୍ମପୁରରେ ମଧ୍ୟ ୪୫ହଜାରରୁ ଅଧିକ ଭୋଟ୍‌ ପାଇଛନ୍ତି ବିଜେପି ମେୟର ପ୍ରାର୍ଥୀ । କଟକରେ ୩୩ହଜାରରୁ ଅଧିକ ଭୋଟ୍‌ ହାତେଇଛନ୍ତି କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ।

ସେହିଭଳି ଭୁବନେଶ୍ବର ମହାନଗର ନିଗମରେ ୬୭ ଓ୍ବାର୍ଡ଼ ଭିତରୁ ଅଧିକାଂଶ ଓ୍ବାର୍ଡ଼ରେ ବିଜୟୀ ହୋଇଛନ୍ତି ବିଜେଡି କର୍ପୋରେଟର ପ୍ରାର୍ଥୀ । ବ୍ରହ୍ମପୁରରେ ୪୨ଟି ଓ୍ବାର୍ଡ଼ ଭିତରୁ ବିଜେଡି ୩୦ଟି ଓ୍ବାର୍ଡ଼ ଜିତିଥିବା ବେଳେ ବିଜେପି ୭, କଂଗ୍ରେସ ୧ ଓ ସ୍ବାଧୀନ ପ୍ରାର୍ଥୀ ୪ଟି ଓ୍ବାର୍ଡ଼ରେ ବିଜୟୀ ହୋଇଛନ୍ତି ।  

କଟକ ମହାନଗର ନିଗମର ମୋଟ୍ ୫୯ଟି ଓ୍ଵାର୍ଡରୁ ୩୮ଟି ଓ୍ଵାର୍ଡ ଦଖଲ କରିଛି ବିଜେଡି। ବହୁ ପଛରେ ରହି ଯାଇଥିବା କଂଗ୍ରେସ ୮ଟି ଏବଂ ବିଜେପି ୭ଟି ଓ୍ଵାର୍ଡରେ ଜିତିବାକୁ ସକ୍ଷମ ହୋଇଛନ୍ତି। ସ୍ଵାଧୀନ ଖାତାକୁ ଯାଇଛି ୬ଟି ଓ୍ଵାର୍ଡ। ସେହିପରି ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁବାସ ସିଂହ ୫୫୭୨୨ ଭୋଟ୍ ପାଇ ଆଗରେ ରହିଛନ୍ତି। ତାଙ୍କୁ ଆରମ୍ଭରୁ କଡା ଟକ୍କର ଦେଇଥିବା କଂଗ୍ରେସ ପ୍ରାର୍ଥୀ ଗିରିବାଳ ବେହେରା ୩୩୪୬୨ ଭୋଟ୍ ପାଇ ଦ୍ଵିତୀୟ ଏବଂ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୧୯୧୨୩ ଭୋଟ୍ ପାଇ ତୃତୀୟରେ ଅଛନ୍ତି।

ତେବେ ତିନି ମହାନଗର ନିଗମରେ ବିଜେଡିର ଦବଦବା ସ୍ପଷ୍ଟ ହୋଇଛି । ତିନିକୁ ତିନି ମେୟର ପଦବୀ ସହ ଅଧିକାଂଶ କର୍ପୋରେଟର ବିଜେଡିରୁ ଜିତିବା ଦଳକୁ ଦେଇଛି ସଫଳତା । 

Spread the love