ଆଗୁଆ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି ୩ ଦଳ

୨୦୨୪ ନିର୍ବାଚନକୁ ଆହୁରି ଅନେକ ସମୟ ବାକି ଅଛି । କିନ୍ତୁ ଆଗୁଆ ନିର୍ବାଚନର ଚର୍ଚ୍ଚା ଜୋର ଧରିବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେଡି, ବିଜେପି ଓ କଂଗ୍ରେସ ଆଗୁଆ ନିର୍ବାଚନ ପ୍ରସ୍ତୁତ ଥିବା ନେଇ ସଂକେତ ଦେଇ ସାରିଲେଣି । ଏପରିକି କିଏ କେତେ ଆସନ ହାତେଇବ ତାହାକୁ ନେଇ ଗଣମାଧ୍ୟମରେ ସଂଖ୍ୟା ରଖିଲେଣି ୩ ଦଳର ନେତା ଗୋଟିଏ ପଟେ ବିଜେଡି ମିଶନ ୧୨୫ ଲକ୍ଷ୍ୟ ନେଇ ଆଗକୁ ବଢୁଥିଲେ ମଧ୍ୟ ୧୪୭ ଆସନ ଉପରେ ନଜର ରହିଛି ବୋଲି ପ୍ରମିଳା କହିଛନ୍ତି । ଏପରିକି ପଶ୍ଚିମ ଓଡ଼ିଶାରେ ସମସ୍ତ ଆସନ ଜିତିବା ଉପରେ ଜୋର ଦେଉଛି ବିଜେଡି । ଅନ୍ୟପଟେ ବିଜେଡିକୁ କାଉଣ୍ଟର କରି ବିରୋଧୀ ଦଳ ନେତା ଜୟନାରାୟଣ କହିଛନ୍ତି, ପଶ୍ଚିମ ଓଡ଼ିଶାର ସମସ୍ତ ଆସନ ଜିତିବା ସହ ଭଲ ୨୦୧୯ ଠାରୁ ଭଲ ପ୍ରଦର୍ଶନ କରିବୁ ବୋଲି କହିଛନ୍ତି । ୨୦୧୯ରେ ତୃତୀୟରୁ ଦ୍ୱିତୀୟକୁ ଆସିଥିଲୁ, ଏଥର ପ୍ରଥମକୁ ଆସିବୁ ବୋଲି କହିଛନ୍ତି ଜୟନାରାୟଣ ।

ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ବେଶ ଭଲ କରିବ । ତୃଣମୂଳସ୍ତରରୁ ହାତରୁ ହାତ ଯୋଡି ଦଳକୁ ସଙ୍ଗଠିତ କରିବା ସହ କଂଗ୍ରେସକୁ ଆହୁରି କିଭଳି ସୁଦୃଢ କରାଯିବ ସେନେଇ ରୋଡମ୍ୟାପ୍ ପ୍ରସ୍ତୁତ ହେବ । ବିଜେପି ଓ ବିଜେଡି ଠାରୁ ଆମେ ଆହୁରି ଆଗରେ ଅଛୁ । ଆଗକୁ ପୂରା ଓଡ଼ିଶାରେ ଖେଦିଯିବୁ ବୋଲି କହିଛନ୍ତି ସୁର । କିଏ କେଉଁଠି, କେତେ ଆସନରେ ଜିତିବ ସେନେଇ ରାଜନୈତିକ ବୟାନବାଜି ଚାଲିଥିବା ବେଳେ ଆଗକୁ ଓଡ଼ିଶାରେ ରାଜନୈତିକ ମାହୋଲ ଆହୁରି ସରଗରମ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love