କଂଗ୍ରେସ ପ୍ରଭାରୀଙ୍କ ଟାର୍ଗେଟ ପରେ ବିଜେଡି-ବିଜେପିର ପାଲଟା ଜବାବ । ପ୍ରଦୀପ୍ତ ନାୟକ କହିଲେ, “ବିଜେଡି-ବିଜେପି ଆଲୋଚନା ସମୟରେ ଶୁଣୁଥିଲେ କଂଗ୍ରେସ ପ୍ରଭାରୀ….”

ବିଜେଡି ଓ ବିଜେପିକୁ ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଟାର୍ଗେଟ କରିବା ପରେ, ସମାନ ଢଙ୍ଗରେ କଂଗ୍ରେସ ପ୍ରଭାରୀଙ୍କୁ ମଧ୍ୟ ଜବାବ୍ ଦେଇଛି ବିଜେଡି ଏବଂ ବିଜେପି । ରବିବାର ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର କହିଥିଲେ ଯେ, ନିର୍ବାଚନ ପାଇଁ ଓଡିଶାରେ ବିଜେଡି ଓ ବିଜେପି ପରସ୍ପର ମଧ୍ୟରେ ବୁଝାମଣା କରିଛନ୍ତି । ବିଜେଡି ବିଜେପିକୁ ୧୫ ଲୋକସଭା ଆସନ ଦେବାକୁ ବୁଝାମଣା ହୋଇଛି ବୋଲି କହିଥିଲେ ଅଜୟ କୁମାର ।

ଏହା ପରେ ଏହାର ଜବାବରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, କଂଗ୍ରେସ ପ୍ରଭାରୀ ରାଜ୍ୟକୁ ନୂଆ ଆସିଛନ୍ତି । ତେଣୁ ତାଙ୍କୁ ଯେଉଁମାନେ ବୁଝେଇଛନ୍ତି ସେମାନେ ଭୁଲ ବୁଝେଇଛନ୍ତି । ରାଜ୍ୟବାସୀ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି, ତଥାପି ତାଙ୍କର ନିଶା ଛାଡି ନାହିଁ। ତେବେ ଓଡ଼ିଶାରେ ବିଜେଡି କଣ କରୁଛି ନ କରୁଛି ତାହା ରାଜ୍ୟବାସୀ ଜାଣିଛନ୍ତି। ସେଥିପାଇଁ ରାଜ୍ୟବାସୀ ବାରମ୍ବାର ନବୀନଙ୍କୁ ଭୋଟ ଦେଉଛନ୍ତି। ବିଶେଷ କରି ଓଡ଼ିଶାର ଅସ୍ମିତା ରକ୍ଷା ପାଇଁ ଅନେକ କାମ ହୋଇଛି। ସେ କେଉଁ ଦୃଷ୍ଟି ଭଙ୍ଗୀରେ ରାଜ୍ୟରେ ବାହାର ଲୋକ ଶାସନ କରୁଥିବା କଥା କହୁଛନ୍ତି ତାହା ସେ ଜାଣିନଥିବା କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ତେବେ ଯାହାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେଠି ବାହାର ଲୋକ ଶାସନ କଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ।

ଅନ୍ୟପଟେ ବିଜେପି ବିଧାୟକ ପ୍ରଦୀପ୍ତ ନାୟକ କହିଛନ୍ତି, ବିଜେଡି-ବିଜେପି ସିଟ ବୁଝାମଣା ଆଲୋଚନା ସମୟରେ ବୋଧେ କଂଗ୍ରେସ ପ୍ରଭାରୀ ବସି ଶୁଣୁଥିଲେ । କଂଗ୍ରେସ ହେଉଛି ବିଜେଡିରେ ବିକ୍ରି ହୋଇଥିବା ଦଳ । ଜାତୀୟ ସ୍ତରର ଦଳର ପ୍ରାର୍ଥୀ ହୋଇ ସେମାନେ ତିନି ଚାରି ହଜାର ଭୋଟ ପାଉଛନ୍ତି । ଏପଟେ ସ୍ୱାଧୀନ ପ୍ରାର୍ଥୀ କିନ୍ତୁ ତାଙ୍କଠୁ ଅଧିକ ଭୋଟ ପାଉଛନ୍ତି, ତାଙ୍କୁ ଟିକେ ଲାଜ ବି ଲାଗୁନାହିଁ, ବିଜେପିକୁ ଆକ୍ଷେପ କରିବାକୁ । ବିଜେପି, ବିଜେଡି କିମ୍ବା କଂଗ୍ରେସ ସହିତ ନାହିଁ । କାହା ସହିତ ମେଣ୍ଟ ନକରି ଏକା ଲଢ଼ି ୧୫ ଟି ଲୋକସଭା ସିଟରେ ଜିତିବୁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ।
Spread the love