ବିଜେଡି ମହିଳା ନେତ୍ରୀଙ୍କୁ ଦଳୀୟ ବ୍ଲକ ସଭାପତିଙ୍କ ଫୋନ୍‌ରେ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ

କେନ୍ଦ୍ରାପଡ଼ା: ଜିଲ୍ଲାର ଜଣେ ବ୍ଲକ ବିଜେଡି ସଭାପତି ଜନୈକା ମହିଳାନେତ୍ରୀଙ୍କ ସହ ଅଶ୍ଳୀଳ ବାର୍ତ୍ତାଳାପ କରିବା ଏବଂ ମାନସିକ ନିର୍ଯାତନା ଦେବା ଘଟଣା ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି । ସଂପୃକ୍ତ ବ୍ଲକ ବିଜେଡି ସଭାପତିଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ସଂପୃକ୍ତ ମହିଳା ନେତ୍ରୀ। ଅଭିଯୋଗ ନେଇ ପୀଡିତା ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧିଙ୍କ ନିକଟକୁ ଯାଇଥିଲେ। କିନ୍ତୁ ବିଧାୟକଙ୍କ ବୋହୂ କହିଲେ ‘ରାଜନୀତିରେ ଏମିତି ହୋଇଥାଏ’ ବୋଲି କହିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା।

ପୀଡିତା ଅଭିଯୋଗ ଆଣିଛନ୍ତି ଯେ, ସେ କେନ୍ଦ୍ରାପଡ଼ା ସହରରେ ରହୁଛନ୍ତି। ଏଥି ସହିତ ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନିଅନ୍ତି । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୫/୬ ବର୍ଷ ହେଲା ବିଜୁ ଜନତା ଦଳରେ ଯୋଗଦେଇ ଆଗଧାଡ଼ିର ମହିଳା ସଂଗଠିକା ଭାବେ ଗରଦପୁର ବ୍ଲକ ଅଞ୍ଚଳକୁ ଯାଇ ବିଭିନ୍ନ ଦଳୀୟ ସାଂଗଠନିକ କାର୍ଯ୍ୟରେ ସାମିଲ ହୋଇଛନ୍ତି। ମାତ୍ର ଗଦରପୁର ବ୍ଲକ ବିଜେଡି ସଭାପତି ଶଶାଙ୍କ ଶେଖର ପରିଡ଼ା ତାଙ୍କ ସହିତ ଆଶାଳୀନ ଏବଂ ଅଭଦ୍ର ଭାଷାରେ କଥା ହେବା ତାଙ୍କୁ ମର୍ମାହତ କରିଛି। ଏହି ବାର୍ତ୍ତାଳାପର ଅଡ଼ିଓ ରେକର୍ଡିଂକୁ ନେଇ ସେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ତଥା ବିଧାୟକ ପ୍ରତିନିଧି ସଂଜୟ ଅଗ୍ରୱାଲଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନକୁ ଫେରାଦ ହୋଇଥିଲେ। ଘଟଣା ସଂପର୍କରେ ଜଣାଇ ହସ୍ତକ୍ଷେପ ଲୋଡିଥିଲେ। ତାଙ୍କୁ ଅଡ଼ିଓ କଲ୍‌ ରେକର୍ଡିଂ ମଧ୍ୟ ଦେଇଥିଲେ। ସବୁ ଘଟଣା ଜାଣିଲା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ପାଇଥିଲେ। କିନ୍ତୁ ମାସମାସ ଧରି ଅପେକ୍ଷା କଲାପରେ ମଧ୍ୟ କିଛି ଲାଭ ହେଲା ନାହିଁ। ବରଂ ଶ୍ରୀ ଅଗ୍ରୱାଲଙ୍କ ପତ୍ନୀ ‘ରାଜନୀତିରେ ଏମିତି ହୁଏ। ଏହା ତୁମକୁ ସହିବାକୁ ପଡ଼ିବ ବୋଲି କହିଥିଲେ।  ଶ୍ରୀ ପରିଡ଼ା ଏ ବାବଦରେ ଜାଣିଲା ପରେ ମତେ ଧମକ ଦେଇଛନ୍ତି। ଜୀବନରେ ମାରିଦେବାକୁ ଚେତାବନୀ ଦେଇଛନ୍ତି ବୋଲି ପୀଡ଼ିତା କହିଛନ୍ତି।

କେବଳ ଏତିକି ନୁହେଁ, ଏସବୁ ପରେ ଶ୍ରୀ ପରିଡ଼ା ମୋର ମୋବାଇଲକୁ ଫୋନ୍‌ କରି ମୋ ଶରୀରର ଅଙ୍ଗକୁ ଆକ୍ଷେପ କରି ଅଶ୍ଲୀଳ ଭାଷାରେ ଇଙ୍ଗିତ କରିଛନ୍ତି। ତାଙ୍କ ଦ୍ବାରା ମୁଁ ଆଉ ମୋ ପରିବାର ମାନସିକ ଆଘାତ ପାଇଛୁ। ଭବିଷ୍ୟତରେ ମୋ ଜୀବନ ପ୍ରତି ଓ‌ ମୋ ପିଲାମାନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପୀଡ଼ିତା କହିଛନ୍ତି। ଘଟଣାର ଉପଯୁକ୍ତ ତଦନ୍ତ କରି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ପୀଡିତା ଆବେଦନ କରିଛନ୍ତି।

ଅନ୍ୟପଟେରେ ଶ୍ରୀ ପରିଡ଼ାଙ୍କୁ ମୋବାଇଲ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ଏହାକୁ ଅସ୍ବୀକାର କରିଛନ୍ତି। ଏଥି ସହିତ ସେ କହିଛନ୍ତି, ଅଭିଯୋଗ ଭିତ୍ତିହୀନ। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଅଡ଼ିଓ ମୋର ନୁହେଁ। ଆଉ କାହାର ହୋଇଥାଇ ପାରେ। ମୁଁ କୌଣସି ମହିଳାଙ୍କୁ ଅଶ୍ଲୀଳ ଇଙ୍ଗିତ କରି ନାହିଁ। ସେହିପରି ବିଧାୟିକାଙ୍କ ପୁଅ ତଥା ବିଧାୟକଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଅଶ୍ଳୀଳ ବାର୍ତ୍ତାଳାପ କରିବା ଏବଂ ମାନସିକ ନିର୍ଯାତନା ଦେବା ଘଟଣା ନେଇ ମୋ ପାଖକୁ କୌଣସି ମହିଳା ଆସି ନାହାନ୍ତି।

Spread the love