ବିଜେଡିର ନିର୍ବାଚନ ଚିନ୍ତା, ଚାଲିଛି ମହିଳା ପ୍ରାର୍ଥୀ ଖୋଜା

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ) :  ନିର୍ବାଚନ ଯେତିକି ପାଖେଇ ଆସୁଛି, ସବୁ ଦଳରେ ଟିକେଟ ଆଶାୟୀଙ୍କ ସଂଖ୍ୟା ସେତିକି ବଢ଼ି ଚାଲିଛି। ଅନ୍ୟ ଦଳ ତୁଳନାରେ ଶାସକ ଦଳ ବିଜେଡିରେ ଏହି ସଂଖା ଅଧିକ। ତେବେ ବର୍ତ୍ତମାନର ଅନେକ ବିଜେଡି ବିଧାୟକଙ୍କ ଟିକେଟ ଏଥର କଟିବ ଆଉ ଦଳର ପ୍ରାର୍ଥୀ ତାଲିକାରେ ଅନେକ ନୂଆଁମୁହଁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପଛରେ ଦୁଇଟି ପ୍ରମୁଖ ବି କାରଣ ରହିଛି। ସ୍ବାଧୀନ ସଂସ୍ଥା ଦ୍ବାରା ପ୍ରସ୍ତୁତ ରିପୋର୍ଟ କାର୍ଡରେ ଯେଉଁ ବିଧାୟକମାନଙ୍କ କାର୍ଯ୍ୟ ସନ୍ତୋଷଜନକ ନୁହେଁ, ସେମାନେ ଏଥର ଟିକେଟରୁ ବଂଚିତ ହେବା ଏକ ପ୍ରକାର ନିଶ୍ଚିତ ‌ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ପଦାଙ୍କ ଅନୁସରଣ କରି ନାରୀ ସଶକ୍ତୀକରଣ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ବିଜୁ ବାବୁ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଳାମାନଙ୍କ ଭାଗିଦାରୀ ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ। ଠିକ୍ ସେହିପରି ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ନିମେନ୍ତ ଠୋସ୍ ପଦକ୍ଷେପ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିକଟରେ ମିଳିତ ଜାତିସଂଘର ଏକ ସଂସ୍ଥା ଏଭଳି ପ‌ଦକ୍ଷେପ ପାଇଁ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା ମଧ୍ୟ କରିଛି। ଏଭଳି ସ୍ଥିତିରେ ଆସନ୍ତା ବିଧାନସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ଛିଡ଼ା କରାଇବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହା ଦ୍ବାରା ମହିଳା ଭୋଟ ହାତେଇବାରେ ବି ଦଳ ସଫଳ ହେବ ବୋଲି ଆକଳନ କରାଯାଉଛି। ରାଜ୍ୟ ବିଧାନସଭା‌‌ରେ ୧୪୭ଟି ଆସନ ରହିଥିବା ବେଳେ ଏହାର ୩୩ ପ୍ରତିଶତ ହେଉଛି ୪୮.୫୧  ଅର୍ଥାତ ୪୯ଟି ଆସନ। ବର୍ତ୍ତମାନ ବିଧାନସଭାରେ ୧୧ଜଣ ବିଧାୟିକା ରହିଛନ୍ତି।

ସେମାନଙ୍କ ମଧ୍ୟରୁ ୧୦ ଜଣ ହେଉଛନ୍ତି ଶାସକ ବିଜେଡିର।  ୩୩ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ପ୍ରତ୍ୟେକ ଜିଲ୍ଲାରୁ ଅନ୍ୟୁନ ଗୋଟିଏ ଲେଖାଏଁ  ଆସନ ମହିଳାଙ୍କ ଖାତାରେ ଯିବ ବୋଲି ରାଜନୈତିକ ମହଲରେ ଆଲୋଚନା ‌ହେଉଛି।  ତେବେ ଦଳ ପାଇଁ ମହିଳା ପ୍ରାର୍ଥୀ ଖୋଜା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି।  ଜିତିବା ସମ୍ଭାବନା ‌‌ଥିବା ନେତ୍ରୀଙ୍କୁ ଟିକେଟ ନଦେଲେ ପୁଣି ଦଳ ପାଇଁ ଏହା ଘାତକ ସାବ୍ୟସ୍ତ ହୋଇପାରେ।  ଅନୁଗୁଳ ଜିଲ୍ଲାରେ ୫ଟି ବିଧାନସଭା ଆସନ ରହିଛି। ଏଥିରୁ କେଉଁ ଆସନ ମହିଳାଙ୍କ ଖାତାରେ ଯିବ, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରିପୋର୍ଟ କାର୍ଡରେ ଜିଲ୍ଲାର ୫ ବିଧାୟକଙ୍କ ମଧ୍ୟରୁ ୪ ଜଣଙ୍କ କାର୍ଯ୍ୟ ସନ୍ତୋଷଜନକ ନଥିବା କୁହାଯାଉଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଅଡିଓ କ୍ଲିପ ଅନୁଯାୟୀ ଏହି ୪ ଜଣ ବିଧାୟକ ଏଥର ଟିକେଟ ପାଇବାରୁ ବଂଚିତ ହେବେ। ପରିବାରବାଦ ଉପରେ ବିଶ୍ବାସ ରଖୁଥିବା ଜଣେ ବିଧାୟକ କିନ୍ତୁ ତାଙ୍କ ପତ୍ନୀଙ୍କୁ ଟିକେଟ ଦେବା ପାଇଁ ଲବି ଆରମ୍ଭ କରି ଦେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଜିଲ୍ଲା ପରିଷଦର ଜଣେ ପୂର୍ବତନ ଅଧ୍ୟକ୍ଷା ମଧ୍ୟ ଏଥର ଟିକେଟ ପାଇବା ପାଇଁ ଆଶା ବାନ୍ଧିଥିବା କୁହାଯାଉଛି। ସେହିଭଳି ଅନ୍ୟଦଳରୁ ମଧ୍ୟ ପ୍ରାର୍ଥୀ ଆମଦାନି ହୋଇପାରେ ବୋଳି ଚର୍ଚ୍ଚା  ଚାଲିଛି। 

 
Spread the love