ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ

ପିପିଲି ଉପନିର୍ବାଚନ ଲାଗି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ସକାଳେ ସେ ପିପିଲି ବିଜେଡି କାର୍ଯ୍ୟାଳୟରୁ ନାମାଙ୍କନ ପତ୍ର ଦାଖଲ ପାଇଁ ପୁରୀ ଅଭିମୁଖେ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ରୁଦ୍ର ପ୍ରତାପ ମହାରଥୀ ପୁରୀ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ରୁଦ୍ରଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଦଳୀୟ ସମର୍ଥକଙ୍କ ଗହଣରେ ଯାଇ ଆଜି ନାମାନଙ୍କ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ। ଏପଟେ ନାମାଙ୍କନ ଦାଖଲ କରିସାରିଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ଆଜିଠାରୁ ହାଇଭୋଲଟେଜ୍ କ୍ୟାମ୍ପେନ ଆରମ୍ଭ କରିବେ।  ଏବେ ବିଜେଡିର ନୂଆ ମୁହଁ ସହ ବିରୋଧୀଙ୍କ ପୁରୁଣା ଚେହେରା ମଧ୍ୟରେ ଲଢେଇ ହେବ। ଗତ ନିର୍ବାଚନରେ ପିପିଲିରେ ବିଜେଡିକୁ, ବିଜେପି କଡ଼ା ଟକ୍କର ଦେଇଥିବାବେଳେ କଂଗ୍ରେସର ଭୋଟହାର ବହୁ ତଳକୁ ଖସି ଆସିଥିଲା । ବିଜେଡି ୫୧ପ୍ରତିଶତ ଭୋଟ ସହ ୮୮ହଜାର ୫୧୮ଭୋଟ ପାଇଥିଲେ। ବିଜେପିର ଆଶ୍ରିତ ପଟ୍ଟନାୟକ ୪୨ପ୍ରତିଶତ ସହ ୭୨ହଜାର ୭୩୧ ହଜାର ଓ କଂଗ୍ରେସ ପ୍ରାର୍ଥୀ ୬ପ୍ରତିଶତ ସହ ପାଇଥିଲେ ୯ହଜାର ୮୩୦ ଭୋଟ୍ ।

Spread the love