52ଲକ୍ଷ ଟଙ୍କା ଖର୍ଚ୍ଚ କରି ନବୀନଙ୍କ ଟିମ୍‌ ପିକ୍‌ନିକ୍ କରିବାକୁ ଦିଲ୍ଲୀ ଯାଇଛନ୍ତି : ନିରଞ୍ଜନ ପଟ୍ଟନାୟକ

ଚାଷୀଙ୍କ ହକ୍‌ ପାଇଁ  ବିଜେଡି  ଦିଲ୍ଲୀ ଗସ୍ତ କରିଛି । ଏହକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ସମାଲୋଚନା କରିଛନ୍ତି। ସେ  ଟ୍ୱିଟ୍ କରି କହିଛନ୍ତି, 52 ଲକ୍ଷ ଟଙ୍କା ଖର୍ଚ୍ଚ କରି ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‌  ପିକ୍‌ନିକ୍ କରିବାକୁ ଦିଲ୍ଲୀ ଯାଇଛନ୍ତି। ସେମାନେ ଚାଷୀଙ୍କ ନାଁରେ ଏ କାର୍ଯ୍ୟ କରୁଛନ୍ତି। ଯଦି ଏହି ଟଙ୍କାକୁ ସେ ଋଣଗ୍ରସ୍ତ ଚାଷୀମାନଙ୍କୁ ଦେଇ ଥାଆନ୍ତେ, ତା’ହେଲେ ଆମର ଅନେକ ଅନ୍ନଦାତାଙ୍କ ମୂଲ୍ୟବାନ ଜୀବନ ବଞ୍ଚି ଯାଇଥାଆନ୍ତା। ନିରଞ୍ଜନ ଆହୁରି କହିଛନ୍ତି, ବିଜେଡି  ଯଦି କୃଷକଙ୍କ ପାଇଁ ଏତେ ଚିନ୍ତିତ, ତା’ହେଲେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ଭଳି କୃଷକଙ୍କ ପାଇଁ ଋଣ ଛାଡ଼ କରୁ। ତା’ସହିତ ଏମ୍‌ଏସ୍‌ପି ଉପରେ ବୋନସ୍‌ ଘୋଷଣା କରୁ ।

ବିଜେଡି ଚାଷୀଙ୍କ ନାଁରେ କୁମ୍ଭୀରକାନ୍ଦଣା ବନ୍ଦ କରନ୍ତୁ ।  କାରଣ ଓଡ଼ିଶାର କୃଷି କ୍ଷେତ୍ରକୁ ନଷ୍ଟ କରିବାରେ ସେମାନେ ସମାନ ପରିମାଣରେ ଦାୟୀ। ସେମାନଙ୍କ ଚାଷୀ ସମାବେଶ ଏକ ଫାର୍ସ। ସୂଚନାଯୋଗ୍ୟ, ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ବିଜେଡି ଆଜି କୃଷକ ଅଧିକାର ସମାବେଶ କରୁଛି। ନିଜେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି। ରାଜ୍ୟର ଅଧିକାଂଶ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର ସରକାର 2930 ଟଙ୍କାକୁ ବୃଦ୍ଧି କରିବା ଓ ସ୍ୱାମିନାଥନ୍‌ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବା ରହିଛି ବିଜେଡିର ପ୍ରମୁଖ ଦାବି।

Spread the love