ସରକାରୀ କଳକୁ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରୁଛି ବିଜେଡି : ବିଜେପି

ଭୁବନେଶ୍ୱର, ୨୦/୧୦: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଛି । ସରକାରୀ କଳକୁ ବ୍ୟବହାର କରି ବିଜେଡି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛି, ଯାହାକି ସଂପୂର୍ଣ୍ଣଭାବେ ବେନିୟମ ଓ ବେଆଇନ। ଏହା ବିରୁଦ୍ଧରେ ବିଜେପିର ଏକପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ
ପ୍ରସଙ୍ଗରେ ଏକ ସ୍ମାରକ ପତ୍ର ପ୍ରଦାନ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ବାଲେଶ୍ୱର ଉପନିର୍ବାଚନରେ ଭୋଟ ପାଇବା ଲକ୍ଷ୍ୟ ନେଇ ବିଜେଡି ସରକାରୀ କଳ ଲଗାଇ ରାସ୍ତା କାମ ଏବଂ ନଳକୂପ
ଖନନ ଆଦି କାର୍ଯ୍ୟ ଚାଲୁ ରଖିଛି। ଶ୍ରୀରାମପୁର ଗ୍ରାମ ପଂଚାୟତର ମତଦାତାଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଏକ ନୂଆ ବିଦ୍ୟୁତ ଟ୍ରାନ୍ସଫରମର ଲଗାଯାଇଛି। ମାଛଡିହ, ନିମା, ଖିରାମ, ସତାର, ପୁରନ, ଗୁଣ୍ଡୁରିପଡା, ଖଦି କପଡା, ଗରାଡିହ ଓ ଶ୍ରୀରାମ ପୁର ଗ୍ରାମରେ ରାସ୍ତାକାମ କରିବା ପାଇଁ ମୋରମ ପକାଯାଇଛି। ଗତ ଦୁଇଦିନ ତଳେ ନେସ୍କୋ ଦ୍ୱାରା ନୂଆ ଟ୍ରାନ୍ସଫରମର ଲଗାଇ ଶ୍ରୀରାମପୁର ପଂଚାୟତକୁ ବିଦ୍ୟୁତ ସଂଯୋଗ କରାଯାଇଛି। ବାଲେଶ୍ୱର ନେସ୍କୋ ଜୋନ୍ ରେ ବିଦ୍ୟୁତ କର୍ମଚାରୀ ମହାସଙ୍ଘ ଯାହା ବିଜୁ ଶ୍ରମିକ ସାମୁଖ୍ୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ତାହାର ଏକ ଅଫିସ ଶାଖା ଗତ ୧୭ ତାରିଖ ଦିନ ଉଦ୍‌ଘାଟନ କରାଯାଇଛି। ଏହି ସମସ୍ତ କାର୍ଯ୍ୟ କରି ଶାସକ ବିଜେଡି ନିର୍ବାଚନ ଆଚରଣ ବିଧିକୁ ଖୁଲମଖୁଲା ଉଲ୍ଲଘଂନ କରିଛି ।

ଏହି ଘଟଣାରେ ନିର୍ବାଚନ ଅଧିକାରୀ ନିରପେକ୍ଷ ତଦନ୍ତ କରି ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବନ୍ଦ କରିବା ପାଇଁ
ନିର୍ଦ୍ଦେଶ ଦେବା ସହ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧୀ ଦଳ ଦାବୀ କରିଛି । ଏହି ସମସ୍ତ ବେଆଇନ କାର୍ଯ୍ୟର ଫଟୋ ଓ ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରି ଆଗାମୀ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିଛି । ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ମୁଖପାତ୍ର ଡ. ଯତୀନ ମହାନ୍ତି ଏବଂ ଲିଗାଲ୍ କୋଡିନେଟର ଜୟନ୍ତ  ଜେନା ପ୍ରମୁଖ ସାମିଲ ଥିଲେ ।

Spread the love