୧୫ ଦିନ ଚୁପ ରହି ବିଜେଡି ନେତା ଏବେ ସାମ୍ନାକୁ ଆସିଛନ୍ତି, ଉତ୍ତର ଦେବା ବଦଳରେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି : ସୌମ୍ୟ

ଭୁବନେଶ୍ବର: ରାଜ୍ୟର ରାଜନୈତିକ ସ୍ଥିତି ଓ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ନିଜ ଆଲେଖ୍ୟରେ ଚିନ୍ତା ପ୍ରକଟ କରିଥିଲେ ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ମାଟି ବଡ଼ ନା ପାର୍ଟି ବଡ, ମନ୍ତ୍ରୀ ବଡ ନା ସଚିବ ବଡ? ଏହାକୁ ନେଇ ଜଣେ ସ୍ୱାଭିମାନୀ ଓଡ଼ିଆ ତଥା ଅନୁଭବୀ ରାଜନେତା ସୌମ୍ୟରଂଜନ ସାମ୍ବାଦିକ ହିସାବରେ ଆଲେଖ୍ୟରେ ନିଜର ସ୍ପଷ୍ଟ ମତ ରଖିଥିଲେ। କିନ୍ତୁ ପ୍ରକାଶିତ ହେବାର ୧୫ଦିନ ଯାଏ ଚୁପ ରହିବା ପରେ ଏବେ ସାମନାକୁ ଆସିଛନ୍ତି ବିଜେଡିର କିଛି ନେତା ଆଉ ସିଧାସଳଖ ଟାର୍ଗେଟ କରିଛନ୍ତି। ତେବେ ଚାପ ପଡିବା ଯୋଗୁଁ ଓ ପେଟପାଟଣା ପାଇଁ ସେମାନେ ଏମିତି କହୁଛନ୍ତି ବୋଲି କହିଛନ୍ତି ସୌମ୍ୟ। ଅନ୍ୟପଟେ ଉଭୟ ବିଜେପି ଓ କଂଗ୍ରେସ ବିଜେଡିକୁ ଏହି ପ୍ରସଙ୍ଗରେ ସମାଲୋଚନା କରିଛନ୍ତି।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଓଡ଼ିଆଙ୍କ ସ୍ୱାଭିମାନ ଓ ରାଜନେତାଙ୍କ ଅସହାୟତାକୁ ନେଇ ଆଲେଖ୍ୟରେ ଉଦବେଗ ପ୍ରକାଶ କରିଥିଲେ। ହେଲିକପ୍ଟରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଚିବ ଉଡୁଥିବାବେଳେ, ରାଜ୍ୟରେ ମନ୍ତ୍ରୀ, ବିଧାୟକମାନେ ଅସହାୟ ହୋଇପଡିଥିବା ଆଶଙ୍କା କରିଥିଲେ। ଆଉ ଏବେ ସୌମ୍ୟଙ୍କ ସେହି ଆଶଙ୍କା ସତ ପ୍ରମାଣିତ ହେବା ଭଳି ଲାଗୁଛି। ଆଲେଖ୍ୟ ଲେଖିବାର ପ୍ରାୟ ୧୫ଦିନ ପରେ, ସୌମ୍ୟଙ୍କୁ ବିରୋଧ କରି ଓ ସଚିବଙ୍କ ସୁରକ୍ଷାରେ କିଛି ବିଜେଡି ନେତା ଆଗକୁ ଆସିଛନ୍ତି। କିନ୍ତୁ ସେମାନେ ସୌମ୍ୟଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି। ବିଧାୟକ ଅରୁଣ ସାହୁଙ୍କ ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୌମ୍ୟ ପଚାରିଥିବା ପ୍ରଶ୍ନର କୌଣସି ଉତ୍ତର ନଦେଇ, ପାଲଟା ଟାର୍ଗେଟ କରିଛନ୍ତି।

ରାଜ୍ୟ ଓ ରାଜନେତାଙ୍କ ସ୍ୱାର୍ଥ ପାଇଁ ସୌମ୍ୟରଞ୍ଜନ ସ୍ୱର ଉଠାଇଥିବାବେଳେ, ସଚିବଙ୍କୁ ସୁରକ୍ଷା ଦେବାକୁ ବିଜେଡିର ନେତା ଓ ମନ୍ତ୍ରୀ କାହିଁକି ଆଗକୁ ଆସିଲେ ତାହା ସନ୍ଦେହକୁ ବଢ଼ାଇ ଦେଇଛି। ଆକ୍ଷେପ ପରେ ଉଭୟ ନେତାଙ୍କ କଥାକୁ ଗୁରୁତ୍ୱ ନଦେବାକୁ କହିଛନ୍ତି ସୌମ୍ୟରଞ୍ଜନ। ଏଥିସହ ସେମାନେ କେମିତି ଅସହାୟ ହୋଇପଡିଛନ୍ତି ତାହା ସ୍ପଷ୍ଟ ହୋଇଛି ବୋଲି ସେ ମତ ରଖିିଛନ୍ତି। କହିଛନ୍ତି, ଦୁଇ ନେତା ମନରୁ କିଛି କହି ନାହାନ୍ତି ନିଜର ପେଟପାଟଣାକୁ ବଂଚାଇବା ପାଇଁ ଉପରୁ ଯାହା ଆଦେଶ ଆସିଛି ତାହା କହିଛନ୍ତି। ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଚାପରେ ସେମାନେ କହୁଛନ୍ତି। ତେବେ ସେ ନିଜ ପାଇଁ ନୁହେଁ ବରଂ ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼େଇ କରୁଛନ୍ତି।

ସଚିବଙ୍କ ସୁରକ୍ଷାରେ ବିଜେଡି ବିଧାୟକ ଓ ମନ୍ତ୍ରୀ ବାହାରିବା ପରେ, ସମାଲୋଚନା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସୌମ୍ୟ ବାବୁ ଯେଉଁ ପ୍ରସଙ୍ଗ ଉଡଠାଇଛନ୍ତି, ତାହା ଯୁକ୍ତିଯୁକ୍ତ। ପାଣ୍ଡିଆନଙ୍କୁ ନେଇ ସେ ଯେଉଁ ପ୍ରଶ୍ନ ପଚାରିଥିଲେ ତାର ଉତ୍ତର କାହିଁକି ଦେଉନି ବିଜେଡି? ସେହିପରି ପିିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତ, ସୌମ୍ୟରଞ୍ଜନ ଯାହା କହୁଛନ୍ତି ତାହା ଠିକ୍‌। ବିଜେଡି ଓ ଫାଇଭ-ଟି କ’ଣ କରୁଛନ୍ତି ତାହା ଓଡ଼ିଶା ଦେଖୁଛି ଏବଂ ରାଜନୀତିରେ ବ୍ୟକ୍ତିଗତ ଆକ୍ରୋଶମୂଳକ ମନୋଭାବ ରଖିବା ଠିକ୍ ନୁହେଁ।

କେବଳ ବିରୋଧୀ ରାଜନୈତିକ ଦଳ ନୁହେଁ, ସୌମ୍ୟଙ୍କୁ ବିଜେଡିର ନେତାମାନେ ଅଚାନକ ଟାର୍ଗେଟ କରିବାକୁ ନେଇ ସାଧାରଣରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ସୌମ୍ୟ ବାବୁ ପଚାରିଥିବା ପ୍ରଶ୍ନର ଉତ୍ତର ନଦେଇ ବିଜେଡି ନେତାମାନେ ବ୍ୟକ୍ତିଗତ ଭାବେ, ତାଙ୍କୁ କାହିଁକି ଟାର୍ଗେଟ କରୁଛନ୍ତି ସେ ନେଇ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଛି।

Spread the love