ମାସ୍କ କିଣାର ତାଲିକା ଦେଇ ବିରୋଧୀଙ୍କୁ ଚୁପ କାରାଇଲା ବିଜେଡ଼ି

ଭୁବନେଶ୍ୱର : କରୋନା ମହାମାରୀ ବର୍ତ୍ତମାନ ଯେଉଁ ବିପର୍ଯ୍ୟୟ ସୃଷ୍ଟି କରିଛି ପୂର୍ବରୁ ତାହା ବିଶ୍ୱ ପୂର୍ବରୁ କେବେ ଦେଖିନଥିଲା । ଉଭୟ ବିକଶିତ ଓ ବିକାଶଶୀଳ ଦେଶଗୁଡିକ ଏହି ମହାମାରୀ ଦ୍ୱାରା ପ୍ରଭାବିତ । ବିଶ୍ୱର ପ୍ରମୁଖ ବିକାଶଶୀଳ ଦେଶ ଆମେରିକା, ୟୁରୋପୀୟରାଷ୍ଟ୍ର ଏବଂ ଚାଇନା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ । କରୋନା ମୁକାବିଲା ପାଇଁ ଏହିସବୁ ଦେଶ ଗୁଡିକରେ ମାସ୍କ, ପିପିଇ, ଭେଣ୍ଟିଲେଟର ଭଳି ଡାକ୍ତରୀ ଉପରକରଣର ଘୋର ଅଭାବ ପରିଲକ୍ଷିତ ହୋଇଥିଲା । ବିକାଶଶୀଳ ଦେଶ ଗୁଡିକରେ ବ୍ୟାପକ ବିପର୍ଯ୍ୟୟ ଘଟାଇବାପରେ କରୋନା ଭାରତରେ ପ୍ରବେଶ କରିଥିଲା । ଆମ ଦେଶରେ ପ୍ରଥମେ ଏହା ପଶ୍ଚିମ ଓ ଦକ୍ଷିଣ ରାଜ୍ୟ ଗୁଡିକରେ ଦେଖା ଦେଇଥିବାବେଳେ ସେତେବେଳେ ବିକାଶଶୀଳ ଦେଶଗୁଡିକ ଭଳି ଏଠାରେ ମୃତ୍ୟୁହାର ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଥିଲା । ଏହା ଥିଲା ମାର୍ଚ୍ଚ ପ୍ରଥମ ସପ୍ତାହର ଘଟଣା ।  ଓଡିଶା ସରକାର କିନ୍ତୁ ମାର୍ଚ୍ଚ ପ୍ରାରମ୍ଭରୁ କରୋନା ବିପଦର ପୂର୍ବାନୁମାନ କରି ରାଜ୍ୟବାସୀଙ୍କ ଜୀବନ ରକ୍ଷା ପାଇଁ  ଆଗୁଆ ଭାବେ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ। ଏହା ମଧ୍ୟରେ ପ୍ରଥମେ ଗୁରୁତ୍ୱପୂର୍ଣ୍ଣ ମେଡିକାଲ ଉପକରଣ ଖରିଦ, କୋଭିଡ ଡାକ୍ତରଖାନା ପ୍ରତିଷ୍ଠା, ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ, ପଞ୍ଚାୟତସ୍ତରରେ ପୃଥକ ଭାବେ କ୍ୱାରେଣ୍ଟାଇନ୍‍ କେନ୍ଦ୍ର/ଅସ୍ଥାୟୀ ମେଡିକାଲ କେନ୍ଦ୍ରପ୍ରତିଷ୍ଠା, କୋଭିଡ୍ ଡାକ୍ତରଖାନା ଗୁଡିକରେ ପୃଥକ ଭାବେ ୬୦୦୦ ଶଯ୍ୟା ଉପଲବ୍ଧ ଆଦି ଅର୍ନ୍ତଭୁକ୍ତ। ଏହାର ଫଳସ୍ୱରୂପ କୋଭିଡ୍ ମୁକାବିଲା ପରିଚାଳନା କ୍ଷେତ୍ରରେ ଓଡିଶା ଏବେ ଦେଶର ଅନ୍ୟତମ ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟଭାବେ ପରିଗଣିତ ହେଉଛି ।

ପ୍ରତ୍ୟେକ ଦେଶ ଏପରିକି ଆମ ଦେଶରେ ଥିବା ପ୍ରତ୍ୟେକ ରାଜ୍ୟ ଲୋକଙ୍କ ଜୀବନ ରକ୍ଷା ଲାଗି କରୋନା ମୁକାବିଲା  ସକାଶେ ଆବଶ୍ୟକ ସାମଗ୍ରୀ କିଣିବାକୁ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଚଳାଇଥିଲେ। କୋଭିଡ ଯୋଦ୍ଧା ଓ ଆଗଧାଡିରେ  ରହି କରୋନା ମୁକାବିଲା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ମାସ୍କ ଅତ୍ୟନ୍ତ ଜରୁରୀ । ସେତେବେଳେ ଏହା ରାଜ୍ୟ ମଧ୍ୟରେ ଆଦୌ ଉତ୍ପାଦିତ ହେଉନଥିଲା । ଲୋକଙ୍କ ଜୀବନରକ୍ଷା ଆମର ଲକ୍ଷ୍ୟ ଥିବାରୁ ପର୍ଯ୍ୟାୟ ପରିମାଣରେ ଏହା ଖରିଦ କରାଯାଇଥିଲା । ଲୋକଙ୍କ ଜୀବନ ପାଇଁ ଦର ହ୍ରାସକୁ ଅପେକ୍ଷା କରାଯାଇନଥିଲା । ସେତେବେଳେ ଏହାର ବ୍ୟାପକ ଚାହିଦା ଥିବାବେଳେ କମ୍‍ ପରିମାଣରେ ଉତ୍ପାଦନ ହେଉଥିଲା । ରାଜ୍ୟର ଆବଶ୍ୟକତାକୁ ଦେଖି ବୈଷୟିକ କମିଟିର ଆକଳନ ଅନୁଯାୟୀ ରାଜ୍ୟ ସରକାର ସଫଳତାର ସହ ସାମଗ୍ରୀ ମହଜୁଦ କରିଥିଲେ । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ବୈଷୟିକ କମିଟି କରୋନା ମହାମାରୀର ମୁକାବିଲା ପାଇଁ କେତେ ପରିମାଣରେ କେଉଁସବୁ ଡାକ୍ତରୀ ଉପକରଣ ଆବଶ୍ୟକ ତାହାର ଆକଳନ କରିଥାନ୍ତି । ତଦନୁଯାୟୀ ସେମାନେ ହାରାହାରି ଭାବେ ୫କୋଟି ୩-ପ୍ଲାଇ ମାସ୍କ ରାଜ୍ୟପାଇଁ ଆବଶ୍ୟକ କରିଥିଲେ। ଏହି ମହାମାରୀର ମୁକାବିଲା ପାଇଁ କରୋନା  ଯୋଦ୍ଧାଙ୍କ ସକାଶେ ମାସ୍କ ସବୁଠାରୁ ଅଧିକ ଜରୁରୀ । ତେଣୁ ଏହି ଯୋଦ୍ଧାଙ୍କ ଜୀବନ ରକ୍ଷାଲାଗି ଓଡିଶା ସରକାର ପ୍ରାଥମିକତା ଭାବେ ମାସ୍କ ଖରିଦ କରିଥିଲେ । ଦେଶର ପଶ୍ଚିମ ଓ ଦକ୍ଷିଣାତ୍ୟ ରାଜ୍ୟ ଗୁଡିକରେ ଥିବା କମ୍ପାନୀମାନେ ହିଁ ଅଧିକାଂଶ ମାସ୍କ ତିଆରି କରିଥାନ୍ତି। ଫେବୃୟାରୀ ମାସରେ ଗୋଟିଏ ମାସ୍କରଦର ଏକଟଙ୍କା ଥିଲା । କିନ୍ତୁ କରୋନା ପରିସ୍ଥିତି ଜନିତ ଲକ୍‍ଡାଉନ୍‍ ଯୋଗୁଁ  ସପ୍ଲାଇ ଚେନ୍‍ରେ ଗୁରୁତର ସମସ୍ୟା ଦେଖାଦେଇଥିଲା । ଫଳରେ ମାସ୍କ ଉତ୍ପାଦନ କରୁଥିବା କମ୍ପାନୀ ଗୁଡିକ କଞ୍ଚାମାଲ  ପାଇପାରିନଥିଲେ ଏବଂ କର୍ମଚାରୀ ସଙ୍କଟର ସମ୍ମୁଖୀନ ହୋଇଥିଲେ । ସେହି ସମୟରେ ଦେଶର ସମସ୍ତ ରାଜ୍ୟ ଅଧିକରୁ ଅଧିକ ସଂଖ୍ୟାରେ ମାସ୍କ ଖରିଦ କରି ତାହାକୁ ମହଜୁଦ ଲାଗି ଉଦ୍ୟମ ଆରମ୍ଭ କରିଦେଇଥିଲେ । ହଠାତ୍‍ ବଜାରରେ ୩-ପ୍ଲାଇ ମାସ୍କ ସହିତ ପିପିଇ ଓ ଭେଣ୍ଟିଲେଟର ଆଦିର ଘୋର ଅଭାବ ପରିଲକ୍ଷିତ ହୋଇଥିଲା ।
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବାଧ୍ୟ ହୋଇ ୩-ପ୍ଲାଇ ମାସ୍କର ଦର ୧୦ ଟଙ୍କା ସ୍ଥିର କରିବା ସହିତ ଏ ନେଇ ବିଜ୍ଞପ୍ତି ଜାରି କରିଥିଲେ । ଦର ବଢିଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ମାସ୍କ ଯୋଗାଣ ହୋଇପାରିନଥିଲା । ଫଳରେ ମାତ୍ର ତିନିଦିନ ମଧ୍ୟରେ ଅର୍ଥାତ୍‍ ମାର୍ଚ୍ଚ ୨୪ ତାରିଖରେ କେନ୍ଦ୍ର ସରକାର ୩-ପ୍ଲାଇ ମାସ୍କର ଦର ୧୬ଟଙ୍କାକୁ ବଢାଇବା ସହିତ ଏନେଇ ପୁର୍ନବାର ବିଜ୍ଞପ୍ତି ଜାରି କରିଥିଲେ । ମାର୍ଚ୍ଚ ଓ ଏପ୍ରିଲ୍‍ ମାସରେ ଦେଶର ଅଧିକାଂଶ ରାଜ୍ୟ ଚଢାଦରରେ ମାସ୍କ କିଣିବାକୁ ବାଧ୍ୟ ହୋଇଥିଲେ। ଏପରିକି କେତେକ ରାଜ୍ୟ କେନ୍ଦ୍ର ସରକାର ମାସ୍କର ଦର ୧୬ଟଙ୍କା ଧାର୍ଯ୍ୟ କରିବା ପୂର୍ବରୁ ହିଁ ଲୋକଙ୍କ ଜୀବନ ରକ୍ଷା ଲାଗି ଅଧିକ ଦରରେ ମାସ୍କ କିଣିଥିଲେ। ମହାରାଷ୍ଟ୍ର ୧୬ଟଙ୍କା ଦରରେ ମାସ୍କ କିଣିଥିବାବେଳେ କେରଳ ୧୬ଟଙ୍କା, ଗୁଜୁରାଟ ୨୦ ଟଙ୍କା, କର୍ଣ୍ଣାଟକ ୧୮ଟଙ୍କା ୭୪ପଇସା, ପଶ୍ଚିମବଙ୍ଗ ୧୮ଟଙ୍କା ୭୪ପଇସା ଓ ତାମିଲନାଡୁ ୧୫ଟଙ୍କା ୯୬ପଇସାରେ ମାସ୍କ ଖରିଦ କରିଛନ୍ତି। ଆମେ କହୁନାହୁଁ ଏ କ୍ଷେତ୍ରରେ ସଂପୃକ୍ତ ଅନ୍ୟ ରାଜ୍ୟଗୁଡିକ କୌଣସି ଭୁଲ୍ କରିଛନ୍ତି ।
ଏହା ସ୍ପଷ୍ଟଯେ କରୋନା ମହାମାରୀ ସମୟରେ ଆବଶ୍ୟକ ଜରୁରୀ ମେଡିକାଲ ଉପକରଣର ଘୋର ଅଭାବ ପରିଲକ୍ଷିତ ହୋଇଥିଲା । କରୋନା ମୁକାବିଲା ପାଇଁ ସମ୍ମୁଖ ଭାଗରେ ରହି ଲଢୁଥିବା ଯୋଦ୍ଧା ବିଶେଷକରି ଡାକ୍ତର, ନର୍ସ, ପାରାମେଡିକସ୍‍, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡିକର୍ମୀ, ପୁଲିସ୍‍ ଆଦିଙ୍କ ଜୀବନ ରକ୍ଷାପାଇଁ ସମସ୍ତ ରାଜ୍ୟ ଚଢାଦରରେ ଡାକ୍ତରୀ ଉପକରଣ ଖରିଦ କରିଛନ୍ତି । ତେଣୁ ଓଡିଶା ସରକାର ମଧ୍ୟ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବ।ଦର ଅନୁଯାୟୀ ଅନୁରୂପ ସାମଗ୍ରୀ କିଣିଛନ୍ତି ।
ମହାମାରୀ ସମୟରେ ଅର୍ଥ ସଞ୍ଚୟ ଅପେକ୍ଷା ଲୋକଙ୍କ ଜୀବନ ରକ୍ଷାକୁ ଓଡିଶା ସରକାର ଅଗ୍ରାଧିକାର ଦେଇଥିଲେ । ଏହାସତ୍ୱେ ବି କେନ୍ଦ୍ରସରକାର ମାସ୍କ ପ୍ରତି ଧାର୍ଯ୍ୟ କରିଥିବା ୧୬ଟଙ୍କାର ଦରକୁ ରାଜ୍ୟସରକାର କେଉଁଠାରେ ଅତିକ୍ରମ କରିନାହାନ୍ତି କି ଏହାଠାରୁ ଅଧିକ ଦରରେ ମାସ୍କ ଖରିଦ କରିନାହାନ୍ତି। ଆମର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆବଶ୍ୟକ ସାଜ ସରଞ୍ଜାମ ଯୋଗାଇଦେବା କ’ଣ ଆମର ଦାୟିତ୍ୱ ନୁହେଁ । କାରଣ ରୋଗୀ ସଂଖ୍ୟା ବୃଦ୍ଧି ସହିତ ସଂକ୍ରମଣ ବଢିବାରୁ ଅନ୍ୟରାଜ୍ୟରେ ବହୁ ସଂଖ୍ୟାରେ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । କନ୍ତି  ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ସୁରକ୍ଷିତ କରିଥିବାରୁ ଓଡିଶାରେ ଏବେ ବି ଦେଶର ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍‍ ରହିଛି । ବର୍ତ୍ତମାନ ଯେଉଁମାନେ ମାସ୍କ ଖରିଦ ନେଇ ଚିତ୍କାର କରୁଛନ୍ତି ଆମେ ଯଦି ମାସ୍କ ଖରିଦ କରିନଥାନ୍ତୁ ତେବେ ସେମାନେ ମାସ୍କର ଅଭାବ ଦର୍ଶାଇ ଲୁହ ଗଡାଇଥାନ୍ତ । କେନ୍ଦ୍ରସରକାର ଦର ବଢାଇବା ସତ୍ୱେ ଆମେ ମାସ୍କ କିଣିବରେ ବିଫଳ ହୋଇଛୁ ବୋଲି ଦର୍ଶାଇଥାନ୍ତେ । ଅନ୍ୟ ଯେଉଁ ରାଜ୍ୟ ଏହି ଦରରେ ମାସ୍କ କିଣିଛନ୍ତି ତାହାର ଉଦାହରଣ ଦେଇଥାନ୍ତେ। କରୋନା ମୁକାବିଲାରେ ସମ୍ମୁଖ ଭାଗରେ ଲଢେଇ କରୁଥିବା ଆମର ଯୋଦ୍ଧାଙ୍କ ସୁରକ୍ଷା ଏବଂ ମହାମାରୀ ପରିସ୍ଥିତିରେ  ଲୋକଙ୍କ ଜୀବନ ରକ୍ଷାଲାଗି ଯେତେଶୀଘ୍ର ସମ୍ଭବ ଏହା ଖରିଦ କରିଥିଲୁ । ତ୍ୱରିତ ନିଷ୍ପତ୍ତି ଏବଂ ଦୃଢ ନେତୃତ୍ୱ ଏବଂ ଆମ ଲୋକଙ୍କ ତ୍ୟାଗ ରାଜ୍ୟକୁ ବେଶ୍ ସହାୟକ ହୋଇଛି । ବିଗତ ତିନିମାସ ମଧ୍ୟରେ ଓଡିଶାବାସୀ କରୋନା ମୁକାବିଲା ପାଇଁ ଅନେକ କିଛି ତ୍ୟାଗ କରିସାରିଲେଣି । ସାଢେ ଚାରି କୋଟି ଲୋକଙ୍କ ସହଯୋଗ ପାଇଁ ଓଡିଶା ଆଜି କରୋନା ମୁକାବିଲା ପରିଚାଳନାରେ ସମଗ୍ର ଦେଶରେ ଉତତ୍ତ ପ୍ରଦର୍ଶନ କରୁଥିବା ରାଜ୍ୟ ହୋଇପାରିଛି । ଏ କ୍ଷେତ୍ରରେ ରାଜ୍ୟ ଜାତୀୟସ୍ତରରେ ମାନ୍ୟତା ହାସଲ କରିପାରିଛି। କୋଭିଡ ଯୁଦ୍ଧରେ ଓଡିଶାକୁ ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ଦେବାରେ ବିଶେଷ ଭୂମିକା ଗ୍ରହଣ କରିଥିବା ଆଗଧାଡିର କରୋନା ଯୋଦ୍ଧା ଡାକ୍ତର, ନର୍ସ, ପାରାମେଡିକସ୍‍, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡିକର୍ମୀ, ପୁଲିସ୍‍ ଆଦିଙ୍କ ମନୋବଳକୁ କିନ୍ତୁ ଏଭଳି ମିଥ୍ୟା ଓ ମନଗଢା ସୂଚନା ପ୍ରସାର ଭାଙ୍ଗିପାରିବ ନାହିଁ । ଯେତେବେଳେ ଏଭଳି ମିଛ ଓ ମନଗଢା ଖବର ପ୍ରସାରିତ ହୋଇଛି ଆମେ ତାହାର ସ୍ପଷ୍ଟୀକରଣ ପ୍ରଦାନ କରିଛୁ। ଯଦି ବିରୋଧିଙ୍କ ନିକଟରେ କିଛି ପ୍ରମାଣ ଅଛି ତେବେ ସେମାନେ ଅଦାଲତ କିମ୍ବା ଅନ୍ୟ କୌଣସି ଫୋରମକୁ ଯାଇପାରନ୍ତି । କିନ୍ତୁ ରାଜ୍ୟସରକାର କରୋନା ମୁକାବିଲା ଜାରି ରଖିଥିବାବେଳେ ଯୋଦ୍ଧାମାନଙ୍କର ମନୋବଳ ଭାଙ୍ଗିବା ଉଚିତ୍‍ ନୁହେଁ । ଓଡିଶାର ଲୋକ ସବୁୁକିଛି ଉପରେ ନଜର ରଖିଛନ୍ତି । ଏଭଳି ମହାମାରୀ ସଙ୍କଟ ସମୟରେ ବିରୋଧିମାନେ ଯେଭଳି ହୀନ ରାଜନୀତି କରୁଛନ୍ତି ତାହାକୁ ସେମାନେ କେବେହେଲେ ଭୁଲିବେ ନାହିଁ ।

Spread the love