ରାଜ୍ୟସଭା : ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୪ ବିଜେଡି ପ୍ରାର୍ଥୀ

୪ ରାଜ୍ୟସଭା ଆସନ ପାଇଁ ବିଜେଡିର ୪ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱରେ ଥିବା ବିଧାନସଭା ସଚିବ ଦାଶରଥୀ ଶତପଥୀ ଆଜି ବିଜେଡିର ଏହି ୪ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଆଜି ବିଧାନସଭା ସଚିବାଳୟରେ ରିଟର୍ଣ୍ଣିଂ ଅଫିସର ଶ୍ରୀ ଶତପଥୀ ବିଜେଡିର ୪ଜଣ ରାଜ୍ୟସଭା ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତଙ୍କୁ ବିଜୟୀ ଘୋଷଣା କରି ବିଧିବଦ୍ଧ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଏହି ୪ଜଣ ପ୍ରାର୍ଥୀ ଆସନ୍ତା ଏପ୍ରିଲ ୩ତାରିଖରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରୁ ଏପ୍ରିଲ ୨ରେ ୩ଟି ଆସନ ଯଥା- ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ, ରଞ୍ଜିବ ବିଶ୍ୱାଳଙ୍କ ସମେତ ଅନୁଭବ ମହାନ୍ତିଙ୍କ ଯୋଗୁ ଖାଲି ପଡ଼ିଥିବା ସିଟ୍ ପାଇଁ ଚଳିତମାସ ୬ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଚଳିତ ନିର୍ବାଚନରେ ପ୍ରାର୍ଥୀ ଦେଇନଥିଲେ ଓ ବିଜେଡି ସମସ୍ତ ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା।

Spread the love