ଗ୍ୟାସ ଦର ଆହୁରି କମିବାର ଥିଲା:ବିଜେଡି ବିଧାୟକ ଦେବୀ ମିଶ୍ର

ଭୁବନେଶ୍ୱର: କେନ୍ଦ୍ର ସରକାର ଗତକାଲି ଏଲ୍ପିଜି ବା ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ଦୁଇଶହ ଟଙ୍କା ଲେଖାଏଁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ୩୩ କୋଟି ସଂଯୋଗ ନେଇଥିବା ସମସ୍ତ ଏଲପିଜି ଗ୍ରାହକଙ୍କ ନିମନ୍ତେ ଲାଗୁ ହେବ ବୋଲି କେନ୍ଦ୍ର ସରକାର କହିଥିଲେ | ତେବେ ଏହାକୁ ନେଇ ବିଜେଡି ପକ୍ଷରୁ କୁହାଯାଇଛି ଯେ ଗ୍ୟାସ ଦର ସୀମା ବାହାରେ ଥିଲା । ଲୋକଙ୍କୁ ମାଗଣା ଗ୍ୟାସ ପ୍ରତିଶୃତି ଦେଇଥିଲେ ବି ଦର ଦୁର୍ବିସହ ହୋଇଥିଲା । ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ ସାଧାରଣ ଲୋକଙ୍କୁ ଏହା ବହୁତ ବାଧୁଥିଲା । କେନ୍ଦ୍ର ସରକାର ୨୦୦ ଟଙ୍କା କମାଇଛନ୍ତି କିନ୍ତୁ ଆହୁରି କମିବାର ଥିଲା । ବର୍ତ୍ତମାନ ସ୍ଥିତିରେ ଦରଦାମ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ ।

ଏବେ ଯେହେତୁ ଦର କମିଛି, ସେତେବେଳେ ସେମାନେ(ବିଜେପି) ଏହାକୁ ରାକ୍ଷୀ ଉପହାର ବୋଲି କହିପାରନ୍ତି | କିନ୍ତୁ ମହିଳାଙ୍କୁ ଯେମିତି ନ ବାଧିବ ସେମିତି ଦରଦାମକୁ ନିୟନ୍ତ୍ରଣ କରାଯିବା ଦରକାର । ଆମେ ଆଶା କରୁଛୁ ଗ୍ୟାସ ଦର ଆହୁରି କମାଇ ଦିଅନ୍ତୁ । ସେହିପରି ଗ୍ୟାସ ମୂଲ୍ୟ କମାଇ ମହିଳାଙ୍କୁ ଖୁସି କରିବାକୁ ଯୋଜନା ହେଉଛି କି ପ୍ରଶ୍ନରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ ଆମ ଲୋକସଂଖ୍ୟାର ଅଧାରୁ ଅଧିକ ହେଉଛନ୍ତି ମହିଳା । ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଯେତେ ରାଜନୈତିକ ଦଳ ଅଛନ୍ତି କି ଯେଉଁମାନେ ଭୋଟର ଆଂକାକ୍ଷୀ ରଖିଛନ୍ତି ସେମାନେ ତାଙ୍କ ଉନ୍ନତି ପାଇଁ ଯୋଜନା କରିବା ସ୍ୱାଭାବିକ । ମହିଳାମାନେ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ବିଶ୍ୱାସ ରଖନ୍ତି । ଯେତେବେଳେ କେହି ମହିଳାଙ୍କ କଥା ଚିନ୍ତା କରୁ ନଥିଲେ ସେବେ ନବୀନ ପଟ୍ଟନାୟକ ଆଗ ମହିଳାଙ୍କ ପାଇଁ ନିଷ୍ପତ୍ତି ନେଇଛନ୍ତି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ନବୀନ ପଟ୍ଟନାୟକ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ।

Spread the love