ଦିଦିଙ୍କୁ ସମର୍ଥନ ଦେଲା ବିଜେଡି: ସିବିଆଇ କାର୍ଯ୍ୟାନୁଷ୍ଠାନ ଅଣପେସାଦାର ମନୋଭାବକୁ ଦର୍ଶାଉଛି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀଙ୍କୁ  ସମର୍ଥନ ଦେଇଛି ବିଜେଡି । ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି, ‘ସର୍ବୋଚ୍ଚ ସଂସ୍ଥାଗୁଡ଼ିକର ଅଖଣ୍ଡତା ବଜାୟ ରହୁ । ସବୁ ସ୍ଥାନରେ ବୃତ୍ତିଗତ ସ୍ୱାଧୀନତା ରହିବା ଦରକାର ।  ପଂଚାୟତ ନିର୍ବାଚନ ପୂର୍ବରୁ ଓ ବର୍ତ୍ତମାନ ସାଧାରଣ ନିର୍ବାଚନ ପୂର୍ବରୁ ସିବିଆଇର ହଠାତ କାର୍ଯ୍ୟାନୁଷ୍ଠାନ ଅଣପେସାଦାର ମନୋଭାବକୁ ଦର୍ଶାଉଛି ।’ ଲୋକସଭାରେ ନିଜର ବକ୍ତବ୍ୟ ରଖି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ସିବିଆଇ ଉପରେ ବର୍ଷିଥିଲେ। ସେ କହିଥିଲେ, ଗତକାଲି ସିବିଆଇ ଯେଭଳି ଭାବେ କୋଲକାତା ପୁଲିସ କମିସନରଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିଥିଲା, ତାହା ଠିକ ନୁହେଁ। ସିବିଆଇ ଏକ ରାଜନୈତିକ ଅସ୍ତ୍ର ପାଲଟି ଯାଇଛି। 

ରାଜନୈତିକ ପ୍ରତିଶୋଧ ଲାଗି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରିଛି। ଯେଉଁ ଲୋକମାନେ ଦୁର୍ନୀତିରେ ଅଛନ୍ତି ସେମାନଙ୍କୁ ସିବିଆଇ ଧରୁ, କିନ୍ତୁ ନିର୍ଦ୍ଦୋଷଙ୍କୁ ନୁହେଁ। କିଛି ମାସ ପୂର୍ବରୁ ସିବିଆଇ ଜଣେ ହାଇକୋର୍ଟ ବିଚାରପତିଙ୍କ ଘରେ ପଶି ଯାଇଥିଲା।  ଓଡ଼ିଶାରେ ସିବିଆଇ ରାଜନୈତିକ ଅସ୍ତ୍ର ପାଲଟି ବିଜୁ ଜନତା ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଛି ବୋଲି ସାଂସଦ ଭର୍ତ୍ତୃହରି ମହତାବ ଅଭିଯୋଗ କରିଛନ୍ତି। ରୋଜଭ୍ୟାଲି ଓ ସାରଦା ଚିଟଫଣ୍ଡ ମାମଲାରେ  ଗତକାଲି  କୋଲକାତା ପୁଲିସ କମିସନରଙ୍କୁ ପଚରାଉଚରା ଲାଗି ତାଙ୍କ  ଘରେ ସିବିଆଇ ପଶିବାକୁ ନେଇ  ପଶ୍ଚିମବଙ୍ଗରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।  କୋଲକାତା ପୁଲିସ ସିବିଆଇ ଅଧିକାରୀଙ୍କୁ ଅଟକାଇବା ସହ ଥାନାକୁ ଧରି .ନେଇଥିଲା। ଏହାପରେ  ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିବା ସହ  ଗତକାଲିଠାରୁ ଧାରଣାରେ ବି ବସିଛନ୍ତି ।

ସେପଟେ ସଂସଦରେ ପଶ୍ଚିମବଙ୍ଗ ପ୍ରସଙ୍ଗରେ ହଙ୍ଗାମା ହୋଇଛି । ସିବିଆଇ ବନାମ ମମତା ବାନାର୍ଜୀ ମାମଲାରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହୋହାଲା କରିଛନ୍ତି ବିରୋଧୀ । ଲୋକସଭାରେ ପ୍ରଶ୍ନକାଳ ଚାଲୁଥିବା ସମୟରେ ସିବିଆଇ ବିରୋଧରେ ନାରାବାଜି କରିଛନ୍ତି ବିରୋଧୀ । ସେପଟେ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ହୋହାଲା ଯୋଗୁ ଲୋକସଭା ୧୨ଟା ପର୍ଯ୍ୟନ୍ତ ଓ ରାଜ୍ୟସଭା ୨ଟା ପର୍ଯ୍ୟନ୍ତ ମୂଲତବୀ ରଖାଯାଇଛି ।  ସିବିଆଇର କାର୍ଯ୍ୟକୁ ବିରୋଧ କରି ମମତା ଜାରି ରଖିଥିବା ଧାରଣାକୁ ସମର୍ଥନ କରିଛନ୍ତି ଏକାଧିକ ବିରୋଧୀ ଦଳ ।

Spread the love