ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ଦଳ

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବ ବିଜୁ ଜନତା ଦଳ। ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ ଟିକଟ ଦେବ ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଓବିସି ସଂଶୋଧନ ବିଲ ସଂସଦରେ ପାସ୍‌ ହୋଇଛି । ଏଣିକି ରାଜ୍ୟଗୁଡିକ ସାମାଜିକ ଏବଂ ଶିକ୍ଷାଗତ ପଛୁଆବର୍ଗ ବର୍ଗ ବା SEBC ତାଲିକା ପ୍ରସ୍ତୁତି ଆଗ ଭଳି କରିପାରିବେ। କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି । ସେହିପରି ରାଜ୍ୟର SEBC ତାଲିକା ଅନୁସାରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରିରେ ସଂରକ୍ଷଣର ସୁବିଧା ପାଉଛନ୍ତି। ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ୍ ବଳରେ ରାଜ୍ୟ ସରକାର ରହିଁଲେ କୌଣସି ଯୋଗ୍ୟ ଜାତିକୁ SEBC ତାଲିକାରେ ଅନ୍ତର୍ଭୁକ୍ତ କରିପାରୁଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି SEBC ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ପୂର୍ବଭଳି ରାଜ୍ୟଗୁଡିକ SEBC ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନରେ ବ୍ୟବସ୍ଥା ଥିବାରୁ ଲୋକସଭାରେ କୌଣସି ବିରୋଧ ଦଳ ଏହାକୁ ବିରୋଧ କରିନାହାନ୍ତି । ହେଲେ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବାକୁ ବିଜେଡି ସମେତ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖୁଛନ୍ତି। ସଂରକ୍ଷଣ ସୀମା ୫୦% ସୀମିତ ଥିବାରୁ SEBCଙ୍କୁ ମାତ୍ର 11.25 ପ୍ରତିଶତ ସଂରକ୍ଷଣ ମିଳୁଛି ।

ରାଜ୍ୟ ସରକାରଙ୍କ SEBC ଆଇନ୍ ୨୦୦୮ରେ ସାମାଜିକ ଏବଂ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ, ବିଭିନ୍ନ ନ୍ୟାୟାଳୟର ଆଦେଶ ଦୃଷ୍ଟିରୁ ଉକ୍ତ ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ସଠିକ୍ ପରିସଂଖ୍ୟାନ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସିମୀତ ରଖିବା ପାଇଁ ବାଧ୍ୟ କରୁଛନ୍ତି।

ତେଣୁ ପଛୁଆ ବର୍ଗଙ୍କର ସଂଖ୍ୟାର ସଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଗଲେ ତାହାକୁ ଭିତ୍ତିକରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ନ୍ୟାୟାଳୟ ମାନେ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ। ତେବେ ସରକାର କୌଣସି ଚୂଡ଼ାନ୍ତ ନିଷ୍ପରି ନେବା ପୂର୍ବରୁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତିରାଜ ସଂସ୍କାର ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ SEBCଙ୍କ ପାଇଁ ଅତି କମ୍‌ରେ ୨୭% ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି। ଗତ ଲୋକସଭା ନିର୍ବାଚନରେ ୩୩ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଦଳ।

Spread the love