ଓଡ଼ିଶାର ନଦୀ ବାଲି ଓ ପାଣିର ହରିଲୁଟ୍‌କୁ ନେଇ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି ନଦୀ ସୁରକ୍ଷା ସମିତି

ଭୁବନେଶ୍ୱର, ତା.୧୮/୦୪: ମାନବ ସଭ୍ୟତା ସର୍ବଦା ନଦୀ ଉପରେ ନିର୍ଭରଶୀଳ । ଓଡ଼ିଶାର ୪.୫କୋଟିରୁ ଅଧିକ ଲୋକଙ୍କ ସହ ପଶୁ ଓ ପକ୍ଷୀ ମଧ୍ୟ ନଦୀ ଉପରେ ନିର୍ଭର କରିଥାନ୍ତି । ଓଡ଼ିଶାରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା, ଇନ୍ଦ୍ରାବତୀ, ନାଗାବଳୀ ଭଳି ବଡବଡ ନଦୀ ଓ ଅନେକ ଛୋଟଛୋଟ ଶାଖା ନଦୀ ଓ ଉପନଦୀ ରହିଛି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନଦୀଜଳ ପରିଚାଳନା ପାଇଁ ଓଡ଼ିଶାର ନଦୀଗୁଡିକ ଶୁଷ୍କ ଓ ପ୍ରଦୂଷିତ ହୋଇଗଲାଣି । ଏନେଇ ଭାରତୀୟ ଜନତା ପାର୍ଟି ନଦୀ ସୁରକ୍ଷା ସମିତି(ନମାମୀ ଗଙ୍ଗେ)ର ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏସମ୍ପର୍କରେ ଏକ ଦାବିପତ୍ର ଦେଇଛନ୍ତି ।
କଳ କାରଖାନା ଓ ଶିଳ୍ପଗୁଡିକ ଯେତିକି ପରିମାଣର ଜଳ ନେବାକୁ ଅନୁମତି ଦିଆଯାଉଛି ସେମାନେ ତା’ଠାରୁ ଅଧିକ ଜଳ ନଦୀଗୁଡିକରୁ ଶୋଷି ନେଉଛନ୍ତି । କେନ୍ଦୁଝର ଜିଲ୍ଲାର ଯଥା ଏସ୍‌ଆର ମିତଲ କାରଖାନା ପାଇପ ଯୋଗେ ଲୁହାଗୁଣ୍ଡ କଳିଙ୍ଗ ନଗର ଓ ପାରାଦ୍ୱୀପ ପଠାଇବା ପାଇଁ ଯଥାକ୍ରମେ ବୈତରଣୀ ଓ କୋରା ନଦୀରୁ ପାଣି ବହୁଳମାତ୍ରାରେ ବ୍ୟବହାର କରୁଛନ୍ତି । ଟାଟା କମ୍ପାନୀ ମୁର୍ଗା ଓ ସୋନନଦୀ ଜିନ୍ଦଲ ବୈତରଣୀ ନଦୀ ଜଗନ୍ନାଥ ଷ୍ଟିଲ, ପଂଚବଟୀ ଷ୍ଟିଲ, ଆରିଆ ଷ୍ଟିଲ, ରୁଙ୍ଗଟା ଷ୍ଟିଲ କାରୋନଦୀ, ଏମଏସପି, ବ୍ରାଣ୍ଡ, ଓଏସଆଇଏଲ ବ୍ରାଣ୍ଡ ଅରଡେଇ ନଦୀର ପାଣି ସେମାନଙ୍କ କାରଖାନା ବ୍ୟବହାର ପାଇଁ ଉତୋଳନ କରୁଛନ୍ତି । ରାୟଗଡା ଜିଲ୍ଲାର ଜେକେ ପେପରମିଲ ନାଗାବଳୀ ନଦୀରୁ, ସୁନ୍ଦରଗଡର କୋଇଡାଠାରେ ରୁଙ୍ଗଟା କମ୍ପାନୀ କାରୋ ନଦୀରୁ ପାଣି ନେଉଛି । ଏହି ଶିଳ୍ପ କାରଖାନା ପାଣିକୁ ବ୍ୟବହାର ପରେ ୱାଟର ଟ୍ରିଟମେଂଟ ପ୍ଲାଂଟ୍ ଯୋଗେ ପରିଷ୍କାର କରି ପୁର୍ନବାର ବ୍ୟବହାର କରିବା କଥା ମାତ୍ର ମଇଳା ପାଣିକୁ ସଫା ନକରି ସିଧାସଳଖଭାବେ ନଦୀକୁ ଛାଡୁଥିବାରୁ ନଦୀଜଳ ପ୍ରଦୂଷିତ ହେଉଛି । ଓଡ଼ିଶାର ନଦୀଗୁଡିକର ଜଳ ପିଇବା ପାଇଁ ଅନୁପଯୁକ୍ତ ହୋଇଥିବାବେଳେ ସ୍ନାନ ପାଇଁ ଅସ୍ୱାସ୍ଥ୍ୟକର ବୋଲି ଶ୍ରୀ ସାହୁ କହିଛନ୍ତି ।
ସେହିପରି ସହରାଂଚଳରେ ଥିବା ଡ୍ରେନ ପାଣି ବିଶୁଦ୍ଧ କରାନଯାଇ ସିଧା ନଦୀରେ ଛଡାଯାଉଛି । ଏହାଦ୍ୱାରା ବିଭିନ୍ନ ଚର୍ମ ରୋଗ, ହଇଜା, କଲେରା ଓ ଅନ୍ୟାନ୍ୟ ରୋଗ ବ୍ୟାପୁଛି । କୋରାପୁଟରେ ଝାଡାବାନ୍ତି ଓ ହଇଜା ଯୋଗୁଁ ବହୁତ ସାଧାରଣ ଜନତା ରୋଗଗ୍ରସ୍ତ ହୋଇଛନ୍ତି ଓ କେତେଜଣ ଜୀବନ ହରାଇଛନ୍ତି । ସେ ଅଂଚଳରେ ପାନୀୟ ଜଳ ଓ ନଳକୂପର ବ୍ୟାପକ ବ୍ୟବସ୍ଥା ନଥିବାରୁ ଲୋକମାନେ ଜଳ ପାଇଁ ନଦୀ, ନାଳ ଉପରେ ସଂପୂର୍ଣ୍ଣଭାବରେ ନିର୍ଭରଶୀଳ ହୋଇଥାନ୍ତି । ରାୟଗଡାର କାଶୀପୁରରେ ୧୧ଜଣରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁବରଣ କରିବା ସହ ଅନେକ ରୋଗଗ୍ରସ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହିପରି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଝାଡାବାନ୍ତିରେ ଶହ ଶହ ଲୋକେ ଆକ୍ରାନ୍ତ ହେଉଥିବାବେଳେ ୨ଜଣରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରୁଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶାବଳୀ ଅନୁଯାୟୀ ବର୍ଷା ଋତୁରେ ନଦୀରୁ ବାଲି ଉଠାଇବାକୁ ବାରଣଥିବାବେଳେ ଏହାକୁ ଉଲଘଂନ କରି ବାଲି ମାଫିଆମାନେ ବର୍ଷାଦିନେ ନଦୀମାନଙ୍କରୁ ବାଲି ଚାଲାଣ କରୁଛନ୍ତି । ଶାସକ ଦଳର ନେତା, ମନ୍ତ୍ରୀମାନଙ୍କ ଚାପ ଯୋଗୁଁ ଆରଆଇ, ତହସିଲଦାରମାନେ ବାଲିମାଫିଆମାନଙ୍କୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବାଲି ପଟାଦାରମାନଙ୍କୁ ସରକାରୀ ନିୟମକୁ ଉଲଘ୍ନନ କରି ଶାସକ ଦଳର ଚାପରେ ଲାଇସେନ୍ସ ପ୍ରଦାନ କରାଯାଇଛି । କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ମୟୂରଭଞ୍ଜ, ବଲାଙ୍ଗିର, ସମ୍ବଲପୁର, ଗଞ୍ଜାମ ଓ ବୌଦ୍ଧ ଜିଲ୍ଲାମାନଙ୍କରେ ବର୍ଷା ଦିନେ ଗ୍ରୀନ ଟ୍ୟୁବୁନାଲର ନିୟମକୁ ଉଲଘଂନ କରି ଦିନ ଦ୍ୱିପହରେ ଖୁଲମଖୁଲା ବାଲି ଉତୋଳନ କରାଯାଉଛି । ଏଥିପ୍ରତି ରାଜ୍ୟ ସରକାର ଅବହେଳା ନକରି ଜଳ ପ୍ଲାବିକ ଓ ପ୍ରଦୂଷଣ ମୁକ୍ତ ପାଇଁ ଯଥାଶୀଘ୍ର ପଦକ୍ଷେପ ନିଅନ୍ତୁ । ଯଦି ନବୀନ ବାବୁ ଏଥିପ୍ରତି ପଦକ୍ଷେପ ନନେବେ ତାହାଲେ ବିଜେପି ନଦୀ ସୁରକ୍ଷା ସମିତି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପଦେଷ୍ଟା ଅଶ୍ରୁମୋଚନ ମହାନ୍ତି, ରାଜ୍ୟ ସହ ସଂଯୋଜକ ଅଶୋକ କୁମାର ରଥ, କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା ଓ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ରାଜ୍ୟ ସହସଂଯୋଜକ ଦୁର୍ଯ୍ୟୋଧନ ଲେଙ୍କା, କଟକ ଜିଲ୍ଲା ସଂଯୋଜକ ସଞ୍ଜୀବ ରଣା, କଟକ ନଗର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ କୁମାର ବେହେରା, ବାଇଧର ଚିନ୍ଦ୍ରା ଓ ମନୋଜ କୁମାର ବଳିୟାରସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love